ଅନୁଗୁଳ: ଅନୁଗୁଳ ଉଚ୍ଚ ବିଦ୍ୟାଳୟର ଶତ ବାର୍ଷିକୀ ଉତ୍ସବ ପାଳନ ନିମନ୍ତେ ତୃତୀୟ ସାଧାରଣ ବୈଠକ ରବିବାର ସ୍ଥାନୀୟ ଟାଉନହଲ ଠାରେ ଆୟୋଜିତ ହୋଇଛି। ବିଦ୍ୟାଳୟର ପୁରାତନ ଛାତ୍ର ପ୍ରାଧ୍ୟାପକ କୁମୁଦଚନ୍ଦ୍ର ଦାସଙ୍କ ପୌରାହିତ୍ୟରେ ଆୟୋଜିତ ବୈଠକରେ ସର୍ବ ସମ୍ମତି କ୍ରମେ ବିଦ୍ୟାଳୟର ପୁରାତନ ଛାତ୍ର ତଥା ଅବସରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ତ୍ରିଲୋଚନ ପ୍ରଧାନଙ୍କୁ କାର୍ଯ୍ୟକାରୀ ସଭାପତି ରୂପେ ମନୋନୟନ କରାଯାଇଥିଲା। ଏହା ସହ ବିଭିନ୍ନ କମିଟି ମଧ୍ୟରେ ଉପଦେଷ୍ଟା କମିଟି, ପରିଚାଳନା କମିଟି, ଅର୍ଥ କମିଟି, ସ୍ମରଣିକା କମିଟି ଗଠନ କରାଯାଇଥିଲା।
ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରିୟବ୍ରତ ମାଝୀଙ୍କୁ ଏହି କମିଟିରେ ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି।
ବୈଠକରେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ଏବଂ ଅବସରପ୍ରାପ୍ତ ଶିକ୍ଷକ ଯୋଗ ଦେଇଥିଲେ। ବରିଷ୍ଠ ଶିକ୍ଷକ ସୁଶାନ୍ତ କୁମାର ତ୍ରିପାଠୀ ସଭା ପରିଚାଳନା କରିଥିଲେ। ଶେଷରେ କମିଟି ଆବାହକ ଦିଲ୍ଲୀପ କୁମାର ଦାସ ଧନ୍ୟବାଦ ଦେଇଥିଲେ।