ଅନୁଗୁଳ: ଅନୁଗୁଳ ଷ୍ଟାଡିୟମରେ ରାଜ୍ୟ ସ୍ତରୀୟ ଖୋ-ଖୋ ଚମ୍ପିଆନସିପ୍ ଆୟୋଜନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅନୁଗୁଳ ଷ୍ଟାଡିୟମରେ ଚଳିତ ମାସ ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ରାଜ୍ୟ ସ୍ତରୀୟ ବରିଷ୍ଠ ଖୋ-ଖୋ ଚମ୍ପିଆନସିପ୍ ବୋଲି ସୂଚନା ଦିଆଯାଇଥିଲା। ୧୨ ତାରିଖରେ ୭୫୦ ଜଣ ଖେଳାଳୀ ଓ କର୍ମକର୍ତ୍ତା ଅନୁଗୁଳରେ ପହଞ୍ଚିବେ। ସୌମାନଙ୍କ ପାଇଁ ସ୍ଥାନୀୟ ମାରୁୱାଡି ଧର୍ମଶାଳା ଓ ତାମଡା କଲ୍ୟାଣମଣ୍ଡପ ଠାରେ ରହିବାର ବ୍ୟବସ୍ଥା କରାଯାଇଛି। ୩୦ ଜିଲ୍ଲାରୁ ଆସୁଥିବା ଖେଳାଳୀ ଓ କର୍ମଚାରୀମାନଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ରହିବା, ଖାଇବା ଓ ଅନ୍ୟାନ୍ୟ ଆନୁସଙ୍ଗୀକ ବ୍ୟବସ୍ଥାରେ ଯେପରି କୌଣସି ତ୍ରୁଟି ନ ହୁଏ ସେଥିପାଇଁ ଜିଲ୍ଲାପାଳ ତାଗିଦ କରିଥିଲେ। କୋଭିଡ ନିୟମାବଳୀ ଆଧାରରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ହେବ। ସମସ୍ତ ଖେଳାଳୀ ଓ କର୍ମକର୍ତ୍ତା ଜଗନ୍ନାଥ ମନ୍ଦିର ପାଖରେ ରିପୋର୍ଟ କରିବେ। ମନ୍ଦିର ପାଖରୁ ରୋଡ ସୋ ଆରମ୍ଭ ହେବ। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ସନ୍ତୋଷ କୁମାର ପ୍ରଧାନ, ଡେପୁଟୀ କଲେକ୍ଟର ବଇତୁରା ଦିପ୍, ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ସୁଧାଂଶୁ କୁମାର ନାୟକ ଓ ଜିଲ୍ଲା କ୍ରୀଡା ସଂସଦର ସମ୍ପାଦକ ନୀଳମଣି ରାଉତ ପ୍ରମୁଖ ଯୋଗ ଦେଇଥିଲେ। ପ୍ରାରମ୍ଭରେ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଅକ୍ଷୟ କୁମାର ସିଠ ସମସ୍ତଙ୍କୁ ସ୍ବାଗତ ଜଣାଇବା ସହ କାର୍ଯ୍ୟସୂଚୀ ଉପସ୍ଥାପନ କରିଥିଲେ।
ରାଜ୍ୟ ସ୍ତରୀୟ ଖୋ-ଖୋ ଚମ୍ପିଆନସିପ୍ ନିମନ୍ତେ ପ୍ରସ୍ତୁତି ବୈଠକ
- Post published:November 10, 2021
- Post category:ଅନ୍ୟାନ୍ୟ / ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau

Tags: Angul