ଭୁବନେଶ୍ଵର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସନ୍ଧ୍ୟା ୬ଟା ୩୦ ମିନିଟରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚି ଲୋକଭବନ ଯାଇ ରାତ୍ରିଯାପନ କରିବେ।
ମିଳିଥିବା ସୂଚନା ଅନୁସାରେ, ୩ ତାରିଖ ସକାଳେ ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ବାୟୁସେନା ହେଲିକପ୍ଟର ଯୋଗେ ଯାଜପୁର ନୂଆ ପ୍ରଶାସନିକ ଭବନ ଗ୍ରାଉଣ୍ଡ ହେଲିପ୍ୟାଡ୍ରେ ଅବତରଣ କରିବେ। ମା’ ବିରଜାଙ୍କ ଦର୍ଶନ ପାଇଁ ଯିବେ ଏବଂ ପ୍ରାୟ ଦେଢ଼ ଘଣ୍ଟା ଧରି ମନ୍ଦିରରେ ପୂଜାର୍ଚ୍ଚନା କରିବେ। ସେଠାରୁ ବାଲେଶ୍ବର ଯାଇ ଫକୀରମୋହନ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ଅପରାହ୍ନ ପ୍ରାୟ ୩ ଟା ୫୦ ମିନିଟରେ ପୁରୀ ଅଭିମୁଖେ ବାହାରିବେ ଏବଂ ସନ୍ଧ୍ୟାରେ ପୁରୀରେ ପହଞ୍ଚି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଆଳତି ଦର୍ଶନ ସହ ପିଣ୍ଡଦାନ କରିବେ। ପୁରୀ ଲୋକ ଭବନରେ ରାତ୍ରିଯାପନ କରିବାର କାର୍ଯ୍ୟକ୍ରମ ରହିଛି।
ଅନ୍ୟ କାର୍ଯ୍ୟକ୍ରମ:
- ଫେବ୍ରୁଆରି ୪ ତାରିଖ ସକାଳ ୯ଟାରେ ପୁରୀ ହେଲିପ୍ୟାଡ୍ରୁ ବାହାରି ପୂର୍ବାହ୍ନ ୧୦ଟା ୪୦ ମିନିଟରେ ମୟୂରଭଞ୍ଜ ଜିଲ୍ଲ ରାଇରଙ୍ଗପୁର ହେଲିପ୍ୟାଡ୍ରେ ପହଞ୍ଚିବା ପରେ ମହୁଲଡିହାସ୍ଥିତ ହଲିଡେ ହୋମ୍ର ଉଦ୍ଘାଟନ କରିବେ।
- ରାଇରାଙ୍ଗପୁର ମହୁଲଡିହାସ୍ଥିତ ସରକାରୀ ବାଳିକା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଭଞ୍ଜବୀର ସୁନାରାମ ସୋରେନ୍ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ।
- ସେଠାରେ କ୍ରୀଡ଼ା କମ୍ପ୍ଲେକ୍ସ ଲୋକାର୍ପଣ ସହ ଭର୍ଚୁଆଲ୍ ମାଧ୍ୟମରେ ରାଜ୍ୟର ଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିବେ।
- ୬ ତାରିଖରେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଅପରାହ୍ନରେ ଭୁବନେଶ୍ବର ଫେରିବା ସହ ହୋଟେଲ ମେ’ ଫେୟାରରେ ଆୟୋଜିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ଯୋଗଦେବେ।
- ୭ ତାରିଖ ସକାଳୁ ଭୁବନେଶ୍ୱରରୁ ଛତିଶଗଡ ଅଭିମୁଖେ ସ୍ବତନ୍ତ୍ର ବାୟୁସେନା ବିମାନ ଯୋଗେ ଯାତ୍ରା କରିବେ।



