ଅନୁଗୁଳ: ସାଧାରଣ ନିର୍ବାଚନ-୨୦୨୪ ନିମନ୍ତେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଅଦାଲ୍ ଏମ୍ ଅଖରଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଆଜି ଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଜିଲ୍ଲାପାଳ ସମସ୍ତ ଗଣମାଧ୍ୟମର ପ୍ରତିନିଧିଙ୍କୁ ଜିଲ୍ଲାରେ ହେବାକୁ ଥିବା ସାଧାରଣ ନିର୍ବାଚନ ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ।
ଭାରତୀୟ ନିର୍ବାଚନ କମିଶନରଙ୍କ ଘୋଷଣା ଅନୁଯାୟୀ, ଅନୁଗୁଳ ଜିଲ୍ଲାର ସମସ୍ତ ବିଧାନସଭା ଓ ଲୋକସଭା ପାଇଁ ଷଷ୍ଠ ପର୍ଯ୍ୟାୟରେ ନିର୍ବାଚନ ଆୟୋଜନ କରାଯିବ। ଏଥିପାଇଁ ଗେଜେଟ୍ ବିଜ୍ଞପ୍ତି ୨୯ ଏପ୍ରିଲ ୨୦୨୪ରେ ପ୍ରକାଶ ପାଇବାକୁ ଥିବା ବେଳେ ନାମାଙ୍କନ ପତ୍ରର ଶେଷ ତାରିଖ ୬ ମେ ୨୦୨୪ ରଖାଯାଇଛି। ସେହିପରି ୯ ମେ ୨୦୨୪ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ହେବାକୁ ସ୍ଥିର ହୋଇଥିବା ବେଳେ ୨୫ ମେ ୨୦୨୪ ରେ ମତଦାନ ଏବଂ ଜୁନ୍ ମାସ ୪ ତାରିଖରେ ଭୋଗ ଗଣତି ହେବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ।
ଏ ଅବସରରେ ଜିଲ୍ଲାପାଳ ଜିଲ୍ଲା ସ୍ତରରେ ଖର୍ଚ୍ଚର ମନିଟରିଂ ପାଇଁ ବ୍ୟବସ୍ଥା, ଜିଲ୍ଲା ସ୍ତରୀୟ ମିଡିଆ ସାର୍ଟିଫିକେଟ ଏବଂ ମନିଟରିଂ କମିଟି, ନିର୍ବାଚନ ପରିଚାଳନାରେ ସି ଭିଜିଲ ଆପ୍, ସୁବିଧା ପୋର୍ଟାଲ, ଭୋଟର ହେଲପ୍ ଲାଇନ୍ ଇତ୍ୟାଦି ବିଷୟରେ ବିସ୍ତୃତ ବିବରଣୀ ଦେଇଥିଲେ।
ଜିଲ୍ଲାରେ ମୋଟ ୧୧୬୨ଗୋଟି ମତଦାନ କେନ୍ଦ୍ର ରହିଥିବା ବେଳେ ମୋଟ ଭୋଟରଙ୍କ ସଂଖ୍ୟା ୯ ଲକ୍ଷ ୭୧ ହଜାର ୮୩୦ ରହିଛି। ସେଥି ମଧ୍ୟରୁ ୪ଲକ୍ଷ ୭୨ ହଜାର ୧୨୩ ମହିଳା, ୪ ଲକ୍ଷ ୯୯ ହଜାର ୫୭୧ ପୁରୁଷ, ୧୩୬ ଜଣ ଟ୍ରାନସ୍ ଜେଣ୍ଡର ଅଛନ୍ତି।
ସେହିପରି ଜିଲ୍ଲାରେ ୧୧ ହଜାର ୮୩୨ ଭିନ୍ନକ୍ଷମ ଭୋଟର ଥିବା ବେଳେ ନୂତନ ଭାବେ ପଞ୍ଜିକୃତ ଯୁବ ଭୋଟର ସଂଖ୍ୟା ୨୭ ହଜାର ୬୨୪ ଜଣ । ଜିଲ୍ଲାରେ ୬୦ ଗୋଟି ସଖୀ ବୁଥ୍ ଖୋଲାଯିବ ବୋଲି ମଧ୍ୟ ଜିଲ୍ଲାପାଳ ସୂଚନା ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଡଃ.ଶରତ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ହେମନ୍ତ କୁମାର ସିଂହ, ଅନୁଗୁଳ ଉପଜିଲ୍ଲାପାଳ ବରଣ୍ୟନ୍ଦୁ ମହାନ୍ତି, ଜିଲ୍ଲା ସୂଚନା ବିଜ୍ଞାନ କେନ୍ଦ୍ର ଅଧ୍ୟକ୍ଷ ସୁବ୍ରତ କୁମାର ଚାଟାର୍ଜୀ, ଡେପୁଟି କେଲେକ୍ଟର(ନିର୍ବାଚନ) ମମତା ପ୍ରଧାନ, ଆସିଷ୍ଟାଣ୍ଟ କଲେକ୍ଟର ସୁକାନ୍ତ କୁମାର ସାହୁଙ୍କ ସମେତ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।