ଶୈଳଶ୍ରୀ କ୍ଷେତ୍ର ରଥଯାତ୍ରା ନୀତି ନିର୍ଘଣ୍ଟ: ୯ ଟାରେ ପହଣ୍ଡି ୩ ଟାରେ ରଥ ଟଣା

You are currently viewing ଶୈଳଶ୍ରୀ କ୍ଷେତ୍ର ରଥଯାତ୍ରା ନୀତି ନିର୍ଘଣ୍ଟ: ୯ ଟାରେ ପହଣ୍ଡି ୩ ଟାରେ ରଥ ଟଣା

ଅନୁଗୁଳ: ଶୈଳଶ୍ରୀ କ୍ଷେତ୍ର ରଥଯାତ୍ରା ନୀତି ନିର୍ଘଣ୍ଟ ଆଜି ଘୋଷିତ ହୋଇଛି। ମନ୍ଦିର ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୂଜା ନୀତି ନେଇ କର୍ମକର୍ତ୍ତା ମାନେ ସବିଶେଷ ତଥ୍ୟ ରଖିଥିଲେ। ଚଳିତ ରଥ ଯାତ୍ରା ପାଇଁ ଭୋର ସାଢେ଼ ତିନିଟା ସମୟରେ ମଙ୍ଗଳ ଆଳତି, ତାପରେ ସେନାପଟା ଲାଗି, ଅବକାଶ, ରୋଷହୋମ, ବେଶଲଗି, ସୂର୍ଯ୍ୟପୂଜା, ଦ୍ଵାରପାଳ ପୂଜା, ବାଳ ଧୂପ, ଖେଚୁଡ଼ି ଧୂପ ଆଦି କରାଯିବ। ଏହାପରେ ଶ୍ରୀ ଜୀଉ ମାନଙ୍କର ମଙ୍ଗଳାର୍ପଣ ଅନୁଷ୍ଠିତ ହେବ। ସକାଳ ୯ ଟାରେ ଶ୍ରୀ ଜୀଉ ମାନେ ଧାଡ଼ି ପହଣ୍ଡିରେ ଯାଇ ରଥାରୂଢ଼ ହେବେ। ଦିନ ଏଗାରଟା ବେଳେ ମଦନମୋହନ ରଥକୁ ବିଜେ କରିବେ। ଅପରାହ୍ନ ୧୨ ଟାରେ ଅନୁଗୁଳ ଏସପି ରାହୁଲ ଜୈନ ଛେରା ପହଁରା କରିବେ। ଅପରାହ୍ନ ଗୋଟାଏ ବେଳେ ରଥ ସାରଥୀ ସହ ରଥ ଦଉଡି଼ ସଂଯୋଗ କରାଯିବ। ଅପରାହ୍ନ ୩ ଟାରେ ରଥ ଟଣା ଆରମ୍ଭ ହେବ। ସନ୍ଧ୍ୟା ୬:୩୦ ମିନିଟରେ ଗୁଣ୍ଡିଚା ମନ୍ଦିର ଚକଡା଼କୁ ରଥ ଗୁଡ଼ିକ ପ୍ରବେଶ କରିବ।

ରଥଯାତ୍ରା ଅବସରରେ ଜିଲ୍ଲା ଜଜ୍ କୋର୍ଟ ଓ ଥାନା ନିକଟରେ ରଥ ଗୁଡ଼ିକ କିଛି ସମୟ ଅଟକିବା ପରେ ସେଠାରେ ଭୋଗ ଲାଗି ହେବ। ୨୮ ତାରିଖ ଦିନ ଅପରାହ୍ନ ପାଞ୍ଚଟା ସମୟରେ  ଶ୍ରୀଜୀଉ ମାନେ ରଥରୁ ବାହାରି ଗୋଟି ପହଣ୍ଡିରେ ଗୁଣ୍ଡିଚା ମନ୍ଦିରକୁ ଯିବେ। ରଥଯାତ୍ରା ପାଳନ ପାଇଁ ୪୭ ଜଣ ପହଣ୍ଡି ସେବକଙ୍କ ସହ ମୋଟ ୧୦୮ ଜଣ ସେବାୟତଙ୍କୁ ଦାୟିତ୍ଵ ଅର୍ପଣ କରାଯାଇଛି। ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ବ୍ୟାପକ ପୋଲିସ ବ୍ୟବସ୍ଥା ସହ, ପରିମଳ ବ୍ୟବସ୍ଥା, ଆଲୋକ ଯୋଗାଣ, ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ବ ଦିଆଯାଇଛି।

ଜିଲ୍ଲାପାଳ ମଧ୍ୟ ରଥଯାତ୍ରା ପରିଚାଳନା ନେଇ ଟିକିନିଖି ଖବର
ରଖିବା ସହ ଆବଶ୍ୟକ ନିର୍ଦ୍ଦେଶ ଦେଉଛନ୍ତି। ରଥଯାତ୍ରା ପାଇଁ ବଡ଼ଦାଣ୍ଡ ଓ ଗୁଣ୍ଡିଚା ମନ୍ଦିର ଚକଡା଼କୁ ସୁସଜ୍ଜିତ କରାଯାଉଛି। ଜିଏମଡିସି ପକ୍ଷରୁ ମନ୍ଦିରରେ ସ୍ଥାୟୀ ଆଲୋକିକରଣ ବ୍ୟବସ୍ଥା କରାଯାଇଛି। ସେହିଭଳି ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ବ୍ୟାପକ ପୋଲିସ ମୁତୟନ କରାଯିବ।nରଥଯାତ୍ରାକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ପୌରପାଳିକା ପକ୍ଷରୁ ବ୍ୟାପକ ଜନସଚେତନ କରାଯାଉଛି। ଏହି ସାମ୍ବାଦିକ ସମ୍ମିଳନୀରେ ମନ୍ଦିର ପରିଚାଳନା କମିଟି ସମ୍ପାଦକ ହେମନ୍ତ କୁମାର ଦାଶ, ବିଶେଷ ପୂଜାନୀତି ମୁଖ୍ୟ ଭବାନୀ ପ୍ରସାଦ ମିଶ୍ର, ଯୁଗ୍ମ ସମ୍ପାଦକ ଆନନ୍ଦ ଚନ୍ଦ୍ର ମହାପାତ୍ର ଏବଂ ଉପସଭାପତି ପରମାନନ୍ଦ ମିଶ୍ର ପ୍ରମୁଖ ସାମ୍ବାଦିକମାନଙ୍କ ବିଭିନ୍ନ ପ୍ରଶ୍ନର
ଉତ୍ତର ଦେଇଥିଲେ ।

Share

Leave a Reply