ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବିଭିନ୍ନ ଦାବି ନେଇ ଜୀବନ-ଜୀବିକା ଓ କୃଷିଜମି ସୁରକ୍ଷା କମିଟି ପକ୍ଷରୁ ଗଣଧାରଣା ହୋଇଥିଲା। ବିଶେଷକରି ବିଶେଷଜ୍ଞ ଡାକ୍ତର ନିଯୁକ୍ତି, ଏକ୍ସରେ ଓ ଅଲଟ୍ରାସାଉଣ୍ଡ ମେସିନ ସ୍ଥାପନ, ଖାଲି ପଡ଼ିଥିବା ନର୍ସ ଓ କର୍ମଚାରୀ ନିଯୁକ୍ତି, ମାଗଣା ପରୀକ୍ଷା ଓ ଔଷଧ ଯୋଗାଣ, ଷ୍ଟାଫ୍ କ୍ୱାଟର ନିର୍ମାଣ ଏବଂ କିଶୋରନଗରରେ ଶବ ବ୍ୟବଚ୍ଛେଦ ଗୃହ କାର୍ଯ୍ୟକ୍ଷମ କରିବା ଦାବିରେ ଆଜି ବ୍ଲକ ଅଫିସ ସମ୍ମୁଖରେ ଗଣଧାରଣା ହୋଇଥିଲା।
ରମଣୀ ରଞ୍ଜନ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଗଣଧାରଣାରେ ପିତାମ୍ବର ପ୍ରଧାନ, ତୀର୍ଥବାସୀ ଭୋଇ, ଲକ୍ଷ୍ମଣ ବେହେରା, ଗୌର ସାହୁ, ପ୍ରଫୁଲ୍ଲ ପ୍ରଧାନ, ବାବାଜୀ ଚରଣ ବେହେରା ଓ ଚିତ୍ତରଞ୍ଜନ ମେନ୍ଦୁଲି ପ୍ରମୁଖ ବକ୍ତବ୍ୟ ରଖି ସ୍ୱାସ୍ଥ୍ୟ ସେବା ଓ ଜଳସେଚନ ବ୍ୟବସ୍ଥାର ଅବହେଳାକୁ ନିନ୍ଦା କରିଥିଲେ। ପରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଛଅ ଦଫା ଦାବିପତ୍ର ପ୍ରଦାନ କରିଥିଲେ। ଜିଲ୍ଲାପାଳ ବିଶେଷଜ୍ଞ ଡାକ୍ତର ନିଯୁକ୍ତି, ଏକ୍ସରେ ମେସିନ ସ୍ଥାପନ ଓ ଶବ ବ୍ୟବଚ୍ଛେଦ ଗୃହ କାର୍ଯ୍ୟକ୍ଷମ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଦାବି ପୂରଣ ନହେଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ ହେବ ବୋଲି କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି।


