ବଅଁରପାଳ: ଆଲୁମିନିୟମ ପାର୍କ ପ୍ରକଳ୍ପ ସମ୍ପ୍ରସାରଣ ଓ ଜମି ଅଧିଗ୍ରହଣ ନିମନ୍ତେ ତୁଳସୀପାଳ, ଲଙ୍ଗୁଳିଆବେଡ଼ା ଓ ଗାଡ଼ରଖାଇ ମୌଜାରେ ପ୍ରଶାସନ ପକ୍ଷରୁ ତିନୋଟି ପର୍ଯ୍ୟାୟ ୨୪, ୨୫ ଓ ୨୬ ତାରିଖରେ ହେବାକୁ ଥିବା ଜନ ଶୁଣାଣିର ପ୍ରଥମ ପର୍ଯ୍ୟାୟ ଅନୁଷ୍ଠିତ ହୋଇଛି।
ପ୍ରଥମ ପର୍ଯ୍ୟାୟରେ ଗାଡ଼ରଖାଇ ମୌଜାର ପୂଜାମଣ୍ଡପ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସାର୍ବଜନୀନ ପରାମର୍ଶ ଓ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ଶିବିରରେ ଆଲୁମିନିୟମ ପାର୍କ ପ୍ରକଳ୍ପ ସମ୍ପ୍ରସାରଣ ଉଦ୍ଦେଶ୍ୟରେ ଘରୋଇ ଜମି ଅଧିଗ୍ରହଣ କରିବାକୁ ଥିବାରୁ ଏହାର ସାମାଜିକ ପ୍ରଭାବ ବିଷୟରେ ଆକଳନ କରାଯିବା ସହ ଗ୍ରାମବାସୀଙ୍କ ସହ ଆଲୋଚନା କରାଯାଇଥିଲା। ଏହି ଶିବିରରେ ତୁଳସୀପାଳ, ଗାଡ଼ରଖାଇ ଓ କାଙ୍ଗୁଲାର ଗ୍ରାମବାସୀ ଉପସ୍ଥିତ ରହି ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ଦାବି ପତ୍ର ପ୍ରଦାନ କରିଥିଲେ। ଶିବିରରେ ଜିଲ୍ଲା ପ୍ରଶାସନ, ନାଲକୋ ପ୍ରଶାସନ, ଇଡକୋ ପ୍ରଶାସନ ଅଧିକାରୀ ଓ ସ୍ଥାନୀୟ ସରପଞ୍ଚ ସୁନୀତା ସେଠୀ, କାଙ୍ଗୁଲା ସରପଞ୍ଚ, ଗାଢ଼ରଖାଇ ସଭାପତି ରାମଚନ୍ଦ୍ର ବେହେରା, ସମ୍ପାଦକ ଅଶୋକ ବେହେରାଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ।