କଡ଼ା ସୁରକ୍ଷା ମଧ୍ୟରେ ସରିଲା ମଲ୍ଟି ମୋଡାଲ ଲଜିଷ୍ଟିକ ପାର୍କ ପାଇଁ ଜନ ଶୁଣାଣି

You are currently viewing କଡ଼ା ସୁରକ୍ଷା ମଧ୍ୟରେ ସରିଲା ମଲ୍ଟି ମୋଡାଲ ଲଜିଷ୍ଟିକ ପାର୍କ ପାଇଁ ଜନ ଶୁଣାଣି

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ତହସିଲ ଅନ୍ତର୍ଗତ ଭାଗିରଥିପୁରଠାରେ ପ୍ରସ୍ତାବିତ ମଲ୍ଟି ମୋଡାଲ ଲଜିଷ୍ଟିକ ପାର୍କ ନିର୍ମାଣ ନିମନ୍ତେ ସାମାଜିକ ପ୍ରଭାବ ଆକଳନ (SIA) ସମ୍ବନ୍ଧୀୟ ଜନ ଶୁଣାଣି ଶୁକ୍ରବାର ଶେଷ ହୋଇଛି। ଜିଲ୍ଲା ପ୍ରଶାସନ ଓ ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ର ପକ୍ଷରୁ ଆୟୋଜିତ ଏହି ଶିବିରରେ ଭାଗିରଥିପୁର, ଦୁର୍ଗାପୁର, ପାଣସାହି, ଜରପଡ଼ା ଓ କୁମୁରିସିଂ ଗ୍ରାମର ପ୍ରାୟ ୧୩.୩୯ ଏକର ବେସରକାରୀ ଜମି ଅଧିଗ୍ରହଣ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା।

ଗ୍ରାମବାସୀଙ୍କ ସମ୍ଭାବ୍ୟ ବିରୋଧକୁ ଦୃଷ୍ଟିରେ ରଖି ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କ ନେତୃତ୍ୱରେ ତ୍ରିସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ଏହି ପ୍ରକ୍ରିୟା ପରିଚାଳିତ ହୋଇଥିଲା। ଶୁଣାଣିରେ ଅତିରିକ୍ତ ଜିଲ୍ଲାପାଳ ଉଦୟ ମହାପାତ୍ର, ଉପ-ଜିଲ୍ଲାପାଳ ମାୟାଧର ବେହେରା ଓ ଭୂ-ଅର୍ଜନ ଅଧିକାରୀ ମାନସ ରାୟ ଉପସ୍ଥିତ ରହି ପ୍ରକଳ୍ପର ଉଦ୍ଦେଶ୍ୟ ଓ ପରିବେଶ ଉପରେ ଏହାର ପ୍ରଭାବ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ।

ଦୁର୍ଗାପୁର ଗ୍ରାମବାସୀ ଏହି ଜମି ଅଧିଗ୍ରହଣକୁ ତୀବ୍ର ବିରୋଧ କରିଥିବା ବେଳେ ଅନ୍ୟ କେତେକ ସ୍ଥାନୀୟ ଲୋକ ସପକ୍ଷରେ ମତ ରଖିଥିଲେ। ସମସ୍ତ ପ୍ରକ୍ରିୟାର ଭିଡିଓଗ୍ରାଫି କରାଯାଇଛି। ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଜନ ଶୁଣାଣିର ସମସ୍ତ ରିପୋର୍ଟ ସମୀକ୍ଷା କମିଟି ଦ୍ୱାରା ଅନୁଧ୍ୟାନ କରାଯିବା ପରେ ସରକାରଙ୍କ ନିକଟକୁ ପଠାଯିବ। ବିରୋଧ ସତ୍ତ୍ୱେ ପ୍ରାଶାସନିକ ସତର୍କତା ଯୋଗୁଁ ଶୁଣାଣିଟି ଶାନ୍ତିପୂର୍ଣ୍ଣ ଭାବେ ସମାପ୍ତ ହୋଇଛି।

Share

Leave a Reply