ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ବିଜେପି ଘୋଷଣା କରିଛି ରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାଁ। ଏଥରକ ନ୍ୟାସନାଲ ଡେମୋକ୍ରାଟିକ୍ ଆଲିଆନ୍ସ (ଏନ୍ଡିଏ) ପକ୍ଷରୁ ଓଡ଼ିଶାର ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି। ସଂସଦୀୟ ଦଳ ବୈଠକ ପରେ ସର୍ବସମ୍ମତି କ୍ରମେ ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥୀ ଘୋଷଣା କରାଯାଇଛି। ଏ ନେଇ ସୂଚନା ଦେଇଛନ୍ତି ବିଜେପି ରାଷ୍ଟ୍ର ଅଧ୍ୟକ୍ଷ ଜେ.ପି. ନଡ୍ଡା। ତେବେ ଆସନ୍ତୁ ଜାଣିବା କିଏ ଏହି ମହିଳା ଓ ତାଙ୍କ ଜୀବନ କେମିତି ଥିଲା…
୧୯୫୮ ମସିହା ଜୁନ ୨୦ ତାରିଖରେ ଓଡିଶାର ମୟୂରଭଞ୍ଜ ଜିଲ୍ଲା ବୈଦପୋଷୀ ଗାଁ ରେ ଜନ୍ମ ନେଇଥିଲେ ଦ୍ରୌପଦୀ ମୁର୍ମୁ। ସାନ୍ତାଳ ପରିବାରରେ ଜନ୍ମିତା ଦ୍ରୌପଦୀ ପିଲା ଦିନରୁ ହିଁ ଦାରିଦ୍ର୍ୟର ତାଡ଼ନା ସହିଥିଲେ। ବେଶ୍ ସଂଘର୍ଷମୟ ଥିଲା ତାଙ୍କ ପିଲା ଦିନ। ଜଙ୍ଗଲ ପାହାଡ଼ ଘେରା ଅନ୍ଧାରୀ ଇଲାକାରେ କଟିଥିଲା ତାଙ୍କ ପିଲା ଦିନ।
କିନ୍ତୁ ଜୀବନରେ କିଛି କରିବାକୁ ସ୍ୱପ୍ନ ଦେଖିଥିଲେ ଦ୍ରୌପଦୀ। ଏଣୁ ଉଚ୍ଚଶିକ୍ଷା ପାଇଁ ଆସିଥିଲେ ଭୁବନେଶ୍ୱର। ଭୁବନେଶ୍ୱରସ୍ଥିତ ରମାଦେବୀ କଲେଜରେ ପାଠପଢ଼ା ସାରିବା ପରେ ସେ ରାଇରଙ୍ଗପୁର ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ଶିକ୍ଷକତା କରିଥିଲେ।
ଶିକ୍ଷକତା କରିବା ବେଳେ ତୃଣମୂଳ ସ୍ତରରୁ ଆରମ୍ଭ ହୋଇଥିଲା ଦ୍ରୌପଦୀଙ୍କ ରାଜନୈତିକ ଜୀବନ। ୧୯୯୭ ମସିହାରେ ସେ ରାଜନୀତିରେ ପ୍ରବେଶ କରିଥିଲେ। ଏହାପରେ ପ୍ରଥମଥର ପାଇଁ ୧୯୯୭ ରେ ୱାର୍ଡ ସଭ୍ୟ ଭାବେ ନିର୍ବାଚିତ ହୋଇ ରାଇରଙ୍ଗପୁର ପୌରାଧ୍ୟକ୍ଷା ପଦରେ ବସିଥିଲେ। ସେବେଠାରୁ ହିଁ ସେ ବିଜେପିର ଆଦିବାସୀ ମୋର୍ଚ୍ଚା ସହ ଜଡ଼ିତ ରହିଥିଲେ। ୧୯୯୭ରେ ଦ୍ରୌପଦୀ ମୁର୍ମୁଙ୍କୁ ଭାରତୀୟ ଜନତା ପାର୍ଟିର ଆଦିବାସୀ ମୋର୍ଚ୍ଚାର ଉପ-ସଭାପତି ପଦ ମିଳିଥିଲା।
ଓଡିଶାରେ ବିଜେଡି ଏବଂ ବିଜେପି ମେଣ୍ଟ ସରକାର ଥିବା ବେଳେ ୨୦୦୦ ମସିହାରୁ ୨୦୦୨ ମସିହା ପର୍ଯ୍ୟନ୍ତ ସେ ବାଣିଜ୍ୟ ଏବଂ ପରିବହନ ରାଜ୍ୟ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ। ଏହା ପରେ ୨୦୦୨ ରୁ ୨୦୦୪ ପର୍ଯ୍ୟନ୍ତ ମତ୍ସ୍ୟ ଏବଂ ପଶୁ ସମ୍ପଦ ମନ୍ତ୍ରୀ ଭାବେ ଦାୟିତ୍ବ ନିର୍ବାହ କରିଥିଲେ ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ଆଦିବାସୀ ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ରହିଥିଲେ ଦ୍ରୌପଦୀ। ପରେ ୨୦୦୬ରୁ ୨୦୦୯ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ଆଦିବାସୀ ମୋର୍ଚ୍ଚାର ରାଜ୍ୟ ଅଧ୍ୟକ୍ଷା ରହିଥିଲେ।
୨୦୧୫ ମସିହା ମେ ୧୮ ତାରିଖରୁ ୨୦୨୧ ମସିହା ଜୁଲାଇ ୧୨ ତାରିଖ ଯାଏ ସେ ଝାଡଖଣ୍ଡ ରାଜ୍ୟପାଳ ରହିଥିଲେ । ଝାଡଖଣ୍ଡରେ ପ୍ରଥମ ଥର ପାଇଁ ପାଞ୍ଚ ବର୍ଷ ପୂରଣ କରିଥିବା ପ୍ରଥମ ରାଜ୍ୟପାଳ ହେଉଛନ୍ତି ଦ୍ରୌପଦୀ ମୁର୍ମୁ। ଏଥିସହ ସେ ଝାଡଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ ହେବାର ଗୌରବ ଅର୍ଜନ କରିଛନ୍ତି।
ତେବେ ରାଷ୍ଟ୍ରପତି ନିର୍ବାଚନ ଜିତିଲେ ଦ୍ରୌପଦୀ ମୁର୍ମୁ ହେବେ ଓଡ଼ିଶାର ପ୍ରଥମ ତଥା ଦେଶର ଦ୍ଵିତୀୟ ମହିଳା ରାଷ୍ଟ୍ରପତି।