ଅନୁଗୁଳ: ସାପ କାମୁଡାରେ ମେଡ଼ିକାଲରେ ଭର୍ତ୍ତି ରୋଗୀଙ୍କୁ ଗୁଣିଆ ବିଷ ଝାଡ଼ିବା ଅତୀତରେ ଦେଖାଯାଇଥିଲା ହେଲେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ରୋଗୀଙ୍କ ଦେହରୁ ପ୍ରେତାତ୍ମା ହଟେଇବା ପାଇଁ ମନ୍ତ୍ରପାଠ କରିବା ଘଟଣା ଏବେ ସାରା ସହରରେ ଚର୍ଚ୍ଚାର ବିଷୟ ହୋଇଛି।
ଘଟଣାଟି ଗତ ସୋମବାର ଅପରାହ୍ନ ପ୍ରାୟ ଗୋଟାଏ ସମୟର ବୋଲି କୁହା ଯାଉଛି। ମେଡ଼ିକାଲର ମେଲ ସର୍ଜରୀ ୱାର୍ଡରେ ଜଣେ ଷାଠିଏ ବର୍ଷର ରୋଗୀ ଭର୍ତି ହୋଇଥିଲେ। ତାଙ୍କ ମାନସିକ ସ୍ଥିତି ଠିକ୍ ନଥିଲା। ତେବେ ତାଙ୍କର ଡାକ୍ତରୀ ଚିକିତ୍ସା ଚାଲିଥିଲା। ସେହି ୱାର୍ଡରେ ଚିକିତ୍ସିତ ହେଉଥିବା ଅନ୍ୟ ଜଣେ ରୋଗୀଙ୍କ ମହିଳା ସଂପର୍କୀୟ ଏହା ଦେଖି ସେ ଲୋକଟିକୁ
ପ୍ରେତାତ୍ମା ଲାଗିଚି,ତେଣୁ ବାଉଳି ଚାଉଳି ହେଉଚି କହି ସେ ଝଡ଼ା ଫୁଙ୍କା ଉଦ୍ୟମ ଆରମ୍ଭ କରିଥିଲେ। ମାନସିକ ବିକାର ଗ୍ରସ୍ତ ରୋଗୀକୁ ବାନ୍ଧି ମନ୍ତ୍ର ପାଠ କରିବା ସହ ଏକ ଧର୍ମୀୟ ପୁସ୍ତକ ପଢ଼ି ଆଶୀର୍ବାଦ କରିଥିଲେ। ୱାର୍ଡ ଭିତରେ ଏ ଡ୍ରାମା ଚାଲିଥିବା ବେଳେ ଅନ୍ୟ ରୁମରୁ ରୋଗୀମାନେ ଆସି ଭିଡ଼ ଜମାଇଥିଲେ।ୱାର୍ଡରେ ଦିଦି ଓ ଅନ୍ୟ କର୍ମଚାରୀ ଏହାର ମଜା ଉଠାଇଥିଲେ। ଏହି ସମୟରେ କେହି ଜଣେ ଫଟୋ ଉଠାଇବାକୁ ଉଦ୍ୟମ କଲାବେଳେ ଦିଦିଙ୍କ ଅକଲ ଗୁଡ଼ୁମ୍ ହୋଇଯାଇଥିଲା। ଏହାପରେ ସେ ସିକ୍ୟୁରିଟି ଲଗାଇ ଡ୍ରାମା ବନ୍ଦ କରାଇଥଲେ।
ପ୍ରଶ୍ନ ଉଠୁଛି ୱାର୍ଡରେ ନର୍ସ ଓ ଅନ୍ୟ କର୍ମଚାରୀ ମାନେ ଥିବା ବେଳେ ଏଭଳି ଘଟଣାକୁ ଘଟିବାକୁ ଦେଲେ କାହିଁକି। ଏଥିନେଇ ହସ୍ପିଟାଲ ପରିଚାଳକ ଦେବାଶିଷ ଦାସ ଙ୍କୁ ଯୋଗା ଯୋଗ କରିବାରୁ ସେ କହିଲେ ଏ ଘଟଣା ନେଇ ସେ ଅବଗତ ଅଛନ୍ତି। ଏହାର ତଦନ୍ତ କରାଯିବ ବୋଲି ସେ ଏଟିଭି କୁ କହିଛନ୍ତି।