ଅନୁଗୁଳ : ଆସନ୍ତା ଶନିବାର ଫେବୃୟାରୀ ୧୧ ତାରିଖରେ ଅନୁଗୁଳ, ତାଳଚେର, ଆଠମଲ୍ଲିକ, ପାଳଲହଡ଼ା, ଛେଣ୍ଡିପଦା ଓ ବଅଁରପାଳ ସ୍ଥିତ ଅଦାଲତ ପରିସରରେ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବାକୁ ଯାଉଛି। ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧୀନ ମକଦ୍ଦମା ଯଥା- ଫୌଜଦାରୀ (ସାଲିସ ଯୋଗ୍ୟ), ଚେକ ବାଉନସ ମାମଲା, ବ୍ୟାଙ୍କ ଋଣ ମାମଲା, ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ ମାମଲା, ଶ୍ରମ ବିବାଦ ମାମଲା, ଲୋକ ଉପଯୋଗୀ ସେବା ସମ୍ବନ୍ଧୀୟ ମାମଲାର ସମାଧାନ କରାଯାଇପାରିବ। ଏହା ସହିତ ପ୍ରାକ-ମକଦ୍ଦମା ସ୍ତରୀୟ (କଚେରୀରେ ଦାୟର ହୋଇନଥିବା) ମାମଲା ତଥା ଚେକ ବାଉନସ ମାମଲା, ବ୍ୟାଙ୍କ ଋଣ ବିବାଦ, ଶ୍ରମ ବିବାଦ, ଲୋକ ଉପଯୋଗୀ ସେବା ସମ୍ବନ୍ଧୀୟ ବିବାଦ ଗୁଡ଼ିକ (ସାଲିସ ବିହୀନ ବିବାଦକୁ ବାଦ ଦେଇ), ଭରଣପୋଷଣ ବିବାଦ ଓ ଅନ୍ୟାନ୍ୟ ମକଦ୍ଦମା ଇତ୍ୟାଦିର ମଧ୍ୟ ସମାଧାନ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ହୋଇପାରିବ।
ଲୋକ ଅଦାଲତରେ ମକଦ୍ଦମା/ବିବାଦର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ପଡେ ନାହିଁ ଏବଂ ଲୋକ ଅଦାଲତଙ୍କ ରାୟ ବୈଧ, ଚୂଡାନ୍ତ ଏବଂ ଅମଳଯୋଗ୍ୟ। ଦୀର୍ଘ ଦିନ ଧରି ଚାଲୁରହିଥିବା ମକଦ୍ଦମାର ସହଜ ସମାଧାନ ପାଇଁ ଏବଂ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇବା ପାଇଁ ଏହା ଏକ ସୁଯୋଗ। ଅଧିକ ସୂଚନା ପାଇଁ ଜିଲ୍ଲା ଆଇନସେବା ପ୍ରାଧିକରଣ ସହ ଯୋଗାଯୋଗ କରିବାକୁ କୁହାଯାଇଛି।
ଆସନ୍ତା ୧୧ ରେ ଆୟୋଜିତ ହେଉଛି ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ, ମାଗଣାରେ ନ୍ୟାୟ ପାଇପାରିବେ ଅନୁଗୁଳବାସୀ
