ମାର୍ଚ୍ଚ ୧୪ରେ ବସିବ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ: ଅନୁଗୁଳ ଜିଲ୍ଲାରେ ମାମଲା ସମାଧାନ ପାଇଁ ସୁଯୋଗ

You are currently viewing ମାର୍ଚ୍ଚ ୧୪ରେ ବସିବ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ: ଅନୁଗୁଳ ଜିଲ୍ଲାରେ ମାମଲା ସମାଧାନ ପାଇଁ ସୁଯୋଗ

ଅନୁଗୁଳ: ଆସନ୍ତା ମାର୍ଚ୍ଚ ୧୪ ତାରିଖ ଶନିବାର ଦିନ ୨୦୨୬ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବାକୁ ଯାଉଛି। ଅନୁଗୁଳ ଜିଲ୍ଲା ସମେତ ତାଳଚେର, ଆଠମଲ୍ଲିକ, ପାଳଲହଡା, ଛେଣ୍ଡିପଦା ଓ କଣିହାଁ ସ୍ଥିତ ଅଦାଲତ ପରିସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ। ଏହି ଲୋକ ଅଦାଲତ ମାଧ୍ୟମରେ ବିଭିନ୍ନ ପ୍ରକାରର ବିଚାରାଧୀନ ମକଦ୍ଦମା ଓ ପ୍ରାକ-ମକଦ୍ଦମା ଗୁଡ଼ିକର ଆପୋସ ସହମତି ଭିତ୍ତିରେ ସମାଧାନ କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି। ବିଶେଷ କରି ଫୌଜଦାରୀ ସାଲିସ ଯୋଗ୍ୟ ମାମଲା, ଚେକ୍ ବାଉନ୍ସ, ବ୍ୟାଙ୍କ ଋଣ, ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ ଏବଂ ଶ୍ରମ ବିବାଦ ପରି ମାମଲାଗୁଡ଼ିକର ଏଠାରେ ସମାଧାନ ହୋଇପାରିବ।

ଏହା ବ୍ୟତୀତ ବିଦ୍ୟୁତ୍ ଓ ଜଳ ଦେୟ ସମ୍ବନ୍ଧୀୟ ଲୋକ ଉପଯୋଗୀ ସେବା ବିବାଦ, ଛାଡପତ୍ର ବ୍ୟତୀତ ଅନ୍ୟାନ୍ୟ ବୈବାହିକ ଓ ପାରିବାରିକ ବିବାଦ, ଜମି ଅଧିଗ୍ରହଣ, ପେନସନ ସମେତ ଚାକିରି ସମ୍ବନ୍ଧୀୟ ମାମଲା ଏବଂ ରାଜସ୍ୱ ମାମଲା ଗୁଡ଼ିକର ମଧ୍ୟ ବିଚାର କରାଯିବ। ଖାଉଟି ବିବାଦ ଓ ବୌଦ୍ଧିକ ସମ୍ପତ୍ତି ଅଧିକାର ସହ ଜଡ଼ିତ ମାମଲା ଗୁଡ଼ିକ ଯଦି କୌଣସି ଅର୍ଥ-ନ୍ୟାୟିକ ପ୍ରାଧିକରଣ ନିକଟରେ ବିଚାରାଧୀନ ଥାଏ, ତେବେ ସେଗୁଡ଼ିକୁ ମଧ୍ୟ ଏହି ଅଦାଲତରେ ସାମିଲ କରାଯାଇପାରିବ।

ଲୋକ ଅଦାଲତରେ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହୋଇନଥାଏ ଏବଂ ଏହାର ରାୟ ବୈଧ ତଥା ଚୂଡ଼ାନ୍ତ। ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମକଦ୍ଦମାର ସହଜ ସମାଧାନ କରି ସମୟ ଓ ଅର୍ଥ ବଞ୍ଚାଇବା ପାଇଁ ଜନସାଧାରଣ ଏହାର ଲାଭ ନେବାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜନସାଧାରଣଙ୍କୁ ସୂଚନା ଦିଆଯାଇଛି।

Share

Leave a Reply