୧୯ ବର୍ଷ ପରେ ବି ମିଳିଲାନି ଅନୁମତି; ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଶ୍ରୀରାମଙ୍କୁ ଆରାଧନା କଲେ ଆମ୍ବପାଳ ଗ୍ରାମବାସୀ

You are currently viewing ୧୯ ବର୍ଷ ପରେ ବି ମିଳିଲାନି ଅନୁମତି; ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଶ୍ରୀରାମଙ୍କୁ ଆରାଧନା କଲେ ଆମ୍ବପାଳ ଗ୍ରାମବାସୀ

ଅନୁଗୁଳ: ରାମ ନବମୀ ଅବସରରେ ଆଜି ଅନୁଗୁଳ ସହରରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଗାଁରେ ଯାତ୍ରା ପାଳନ ପାଇଁ ଅନୁମତି ନମିଳିବାରୁ ଶେଷରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରଭୁ ଶ୍ରୀରାମଙ୍କ ଫଟୋ ରଖି ପୂଜାର୍ଚ୍ଚନା କରିଛନ୍ତି ଆମ୍ବପାଳ ଗ୍ରାମବାସୀ। ଶତାଧିକ ଶ୍ରଦ୍ଧାଳୁ ଏକତ୍ରିତ ହୋଇ ଘଣ୍ଟ, ଶଙ୍ଖ, ଧୂପ ଓ ଦୀପ ଦେଇ ପ୍ରଭୁଙ୍କ ଆରାଧନା କରିବା ସହ ଜୟ ଶ୍ରୀରାମ ଧ୍ୱନିରେ ସାରା କାର୍ଯ୍ୟାଳୟ ପରିସରକୁ ପ୍ରକମ୍ପିତ କରିଥିଲେ। ଏହା ପ୍ରାଶାସନିକ କଟକଣା ବିରୋଧରେ ଗ୍ରାମବାସୀଙ୍କ ଏକ ଅଭିନବ ପ୍ରତିବାଦ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।

ଘଟଣା ଅନୁସାରେ, ୨୦୦୭ ମସିହାରେ ଆମ୍ବପାଳ ଗ୍ରାମରେ କୋଇଲା ପରିବହନ ବିବାଦ କାରଣରୁ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାମ ନବମୀ ଯାତ୍ରା ବନ୍ଦ ରହିଥିଲା। ଦୀର୍ଘ ୧୯ ବର୍ଷର ବ୍ୟବଧାନ ପରେ ଚଳିତ ବର୍ଷ ଗ୍ରାମବାସୀ ପୁଣି ଥରେ ଏହି ଯାତ୍ରା ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ। ମାତ୍ର ଏହାକୁ ନେଇ ଗାଁର ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଉପୁଜିବାରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବସିଥିବା ଶାନ୍ତି କମିଟି ବୈଠକ ବିଫଳ ହୋଇଥିଲା। ଶେଷରେ ପ୍ରଶାସନ ପକ୍ଷରୁ ଯାତ୍ରା ପାଳନ ଉପରେ ରୋକଠୋକ୍ ମନା କରିଦିଆଯାଇଥିଲା। ଏହାର ପ୍ରତିବାଦରେ ଶତାଧିକ ଗ୍ରାମବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହରିବୋଲ ଓ ହୁଳହୁଳି ପକାଇ ଭକ୍ତିପୂତ ପରିବେଶରେ ରାମ ନବମୀ ପାଳନ କରି ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

Share

Leave a Reply