ଅନୁଗୁଳ: ଉତ୍ତରାଞ୍ଚଳ ରାଜସ୍ବ କମିଶନର ଡ଼ଃ ସୁରେଶ ଚନ୍ଦ୍ର ଦଳେଇ ରବିବାର ଅନୁଗୁଳ ଜିଲ୍ଲା ଗସ୍ତରେ ଆସି ଢେଙ୍କାନାଳ ଓ ଅନୁଗୁଳର ଲୋକପ୍ରତିନିଧିମାନଙ୍କ ସହ ଜାତୀୟ ରାଜପଥର ଦୁରବସ୍ଥାକୁ ନେଇ ଆଲୋଚନା କରିବା ସହ ଏହାର ନିର୍ମାଣ କାର୍ଯ୍ୟ ତୁରନ୍ତ ଚାଲୁ କରିବାକୁ ନେଇ ଆଲୋଚନା କରିଥିଲେ।
ବୈଠକରେ ଅନୁଗୁଳ ବିଧାୟକ ତଥା ଓଡିଶା ବିଧାନ ସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା, ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ, ପାଳଲହଡା ବିଧାୟକ ମୁକେଶ କୁମାର ପାଲ, ଢେଙ୍କାନାଳ ବିଧାୟକ ସୁଧିର କୁମାର ସାମଲ, ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ, ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ, ଅନୁଗୁଳ ଆରକ୍ଷୀ ଅଧ୍ୟକ୍ଷକ ଜଗମୋହନ ମୀନା, ଢେଙ୍କାନାଳ ଆରକ୍ଷୀ ଅଧିକ୍ଷକ ଲୋକାନ ୟୋଗୀ ଦିବ୍ୟାଭି, ଢେଙ୍କାନାଳ ଜାତୀୟ ରାଜପଥ ପ୍ରାଧିକରଣର ପ୍ରକଳ୍ପ ନିର୍ଦ୍ଦେଶକ ଜିକେ ଦାସ ପ୍ରମୁଖ ଯୋଗ ଦେଇଥିଲେ।
ପ୍ରାରମ୍ଭରେ ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସମସ୍ତଙ୍କୁ ସ୍ବାଗତ ଜଣାଇବା ସହ ଜାତୀୟ ରାଜପଥ ଓ ଏହାର ସଂଲଗ୍ନ ଅନ୍ୟ ରାସ୍ତା ଗୁଡିକର ମରାମତି ଓ ନିର୍ମାଣନିମନ୍ତେ ଆବଶ୍ୟକ ପ୍ରକ୍ରିୟା ସମ୍ପର୍କରେ ଆଲୋକପାତ କରିଥିଲେ। ବଅଁରପାଳରୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପର୍ଯ୍ୟନ୍ତ ରାସ୍ତା କାର୍ଯ୍ୟ ମରାମତି ଚାଲିଛି। ଏହାକୁ ଯଥାଶିଘ୍ର ସାରିବାକୁ ଉତ୍ତରାଞ୍ଚଳ ରାଜସ୍ବ କମିଶନର ପରାମର୍ଶ ଦେଇଛନ୍ତି। ପାଣି ଜମି ରହୁଥିବା ଖାଲୁଆ ରସ୍ତାର ଉଚ୍ଚତା ବୃଦ୍ଧି କରିବାସହ ଏକ ନିଦ୍ଧିଷ୍ଟ ଯୋଜନା ମୁତାବକ ଜାତୀୟ ରାଜପଥ କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାସ୍ତା ନିର୍ମାଣରେ ଏହାର ଗୁଣବତ୍ତା, ଲେ ଆଉଟ୍ ଯୋଜନା ଓ ଆବଶ୍ୟକ ସ୍ଥାନରେ କଲଭର୍ଟ ବସାଇବା କାର୍ଯ୍ୟକୁ ଶିଘ୍ର କରିବାକୁ ବୈଠକରେ ଉପସ୍ଥିତ ବିଧାୟକମାନେ ଗୁରୁତ୍ବାରୋପ କରିଥିଲେ।
ରାସ୍ତା ଡାଇଭରସନ୍ କାର୍ଯ୍ୟକୁ ତୁରନ୍ତ ଆରମ୍ଭ କରିବା ସହ ବାଇପାସ ରାସ୍ତା କାର୍ଯ୍ୟକୁ ଆସନ୍ତା ୬ ମାସ ମଧ୍ୟରେ ସମ୍ପନ୍ନ କରିବା ନିମନ୍ତେ ବିଭାଗୀୟ କର୍ମକର୍ତ୍ତା ପ୍ରକାଶ କରିଥିଲେ। ବୈଠକରେ ୪ ଲେନ୍ ବିଶିଷ୍ଟ ଜାତୀୟ ରାଜପଥ ୧୪୯ ବଅଁରପାଳରୁ ଗୋଡିବନ୍ଧ ରାସ୍ତାର ନିର୍ମାଣ କାର୍ଯ୍ୟ ସମ୍ପର୍କରେ ଆଲୋଚନା ହୋଇଥିଲା। ଢେଙ୍କାନାଳର ପ୍ରକଳ୍ପନିର୍ଦ୍ଦେଶକ(ଏନ୍ଏଚ୍ଏଆଇ) ନିୟମିତ ରାସ୍ତା ନିର୍ମାଣ କାର୍ଯ୍ୟକୁ ଅନୁଧ୍ୟାନ କରି ରାଜସ୍ବ କମିଶନର ଓ ଊଭୟ ଜିଲ୍ଲାପାଳଙ୍କୁ ଅବଗତ କରାଇବାକୁ ନିଷ୍ପତ୍ତି ନିଆଗଲା। ସଲଂଗ୍ନ କରୁଥିବା ବିଭିନ୍ନ ରାସ୍ତା ଗୁଡିକର ମରାମତି କାର୍ଯ୍ୟକୁ ତୁରନ୍ତ କରିବାସହ ବାଇପାସ୍ ରୋଡକୁ ଠିକସମୟରେ ଶେଷ କରିବାକୁ ରାଜସ୍ବ କମିଶନର ପରାମର୍ଶ ଦେଇଛନ୍ତି। କେନ୍ଦୁଝର ଆଇରନ ମାଇନସର ଗାଡି ପାଳଲହଡା ପିତିରିଛକରୁ କାମାକ୍ଷାନଗର ଦେଇ ଢେଙ୍କାନାଳ ବାଇପାସ୍ରେ ପହଞ୍ଚି କଟକ ଓ ଭୁବନେଶ୍ୱରକୁ ଚଳାଚଳକରିବ। ଅନ୍ୟ ପଟରେ ଢେଙ୍କାନାଳ ବାଇପାସରୁ ଟାଟା ଷ୍ଟିଲକୁ ଏହା ସଂଲଗ୍ନ କରିବ। ଭରତପୁର, ହିଂଗୁଳା ଓ ବଳରାମ ଖଣିରୁ ଗାଡିଗୁଡିକ ବହ୍ଲର ଛକ ଦେଇ ପରଜଙ୍ଗ କାମାକ୍ଷାନଗର ଦେଇ ଢେଙ୍କାନାଳ ବାଇପାସ୍ରେ ବାହାରିବ। ସେହିପରି ଜିନ୍ଦଲ ଏୟାର ଷ୍ଟ୍ରିପରୁ କୋଶଳା ରୋଡ୍, ଛେଣ୍ଡିପଦା ଓ ଦେବଗଡ ଦେଇ ଗାଡିଗୁଡିକ ସମ୍ବଲପୁର ଚଳାଚଳ କରିବାକୁ ସ୍ଥିର କରାଗଲା।
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ରଜନୀକାନ୍ତ ସ୍ବାଇଁ, ଅନୁଗୁଳ ଉପଜିଲ୍ଲାପାଳ ବଇତୁରା ଦିପ୍ଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ।