ଅନୁଗୁଳ: ଢେ଼ଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ଅନ୍ତର୍ଗତ ସେରଣା ବେଢା ନିକଟରେ ମଙ୍ଗଳବାର ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପଞ୍ଚମହଲା ଆରଆଇ ମୃତ୍ୟୁଞ୍ଜୟ ପାଣିଗ୍ରାହୀଙ୍କର ମୃତ୍ୟୁ ହୋଇଛି। ଦୁଇ ପରିବାରର ୬ ଜଣ ଗୁରୁତର ଆହତ ହୋଇ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।

ସୂଚନା ଅନୁସାରେ, ମୃତ୍ୟୁଞ୍ଜୟ ପାଣିଗ୍ରାହୀ ଓ ମିଲୁ ସେଠୀଙ୍କ ପରିବାର ମା’ ତାରାତାରିଣୀଙ୍କ ଦର୍ଶନ ସାରି କାର୍ରେ ଫେରୁଥିବା ବେଳେ ସେରଣା ବେଢା ନିକଟରେ କାର୍ ଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିଲା। ଏହି ଦୁର୍ଘଟଣାରେ ସମସ୍ତେ ଆହତ ହୋଇଥିଲେ। ମୃତ୍ୟୁଞ୍ଜୟଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ଆହତମାନଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।