ଅନୁଗୁଳ: ଦେବୋତ୍ତର ବିଭାଗର ଅନୁମତି ବିନା ଦେବୋତ୍ତର ଜମିରେ ବ୍ଲକ ପ୍ରଶାସନର ନିର୍ମାଣକୁ ବିରୋଧ କରି ଅଭିଯୋଗ ଆଣିଛନ୍ତି ଟ୍ରଷ୍ଟି ବୋର୍ଡ ଏବଂ ଗ୍ରାମବାସୀ। ଏନେଇ ଉପଜିଲ୍ଲାପାଳ ତଦନ୍ତ ପାଇଁ ନିର୍ଦ୍ଦେଶ ମଧ୍ୟ ଦେଲେ ହେଲେ ରାତିଅଧିଆ ରାସ୍ତା ନିର୍ମାଣ କରିବା ସହ ଚଞ୍ଚକତା କରି ବିଲ କରିବା ଘଟଣା ଏବେ ଚର୍ଚ୍ଚାରେ। ଏନେଇ ଗ୍ରାମବାସୀ ଓ ଟ୍ରଷ୍ଟି ବୋର୍ଡ ପ୍ରଶାସନ ପାଖକୁ ଯାଇ ନିରାଶ ହୋଇଥିବା ଜଣାଯାଇଛି।
ସୂଚନା ମୁତାବକ, ଅନୁଗୁଳ ବ୍ଲକ ଅନ୍ତର୍ଗତ ମାଟିଆସାହି ପଞ୍ଚାୟତ ପୁରୁଣାଗଡ଼ ଗ୍ରାମରେ ଜଗନ୍ନାଥ ଠାକୁରଙ୍କ ସମେତ ମଦନମୋହନ ଏବଂ ଅନ୍ୟାନ୍ୟ ଦେବଦେବୀଙ୍କ ସ୍ଥାବର ଅସ୍ଥାବର ସମ୍ପତ୍ତିକୁ ରକ୍ଷଣାବେକ୍ଷଣ କରିବା ପାଇଁ ଦେବୋତ୍ତର ବିଭାଗ ଟ୍ରଷ୍ଟି ବୋର୍ଡ ନିର୍ମାଣ କରିଛି। ଏହା ମାଧ୍ୟମରେ ଠାକୁରଙ୍କ ଜମିବାଡ଼ି ଠାରୁ ନୀତିନିର୍ଘଣ୍ଟ କିପରି ସଠିକ ଢଙ୍ଗରେ ପରିଚାଳିତ ହେବ ସେ ନେଇ ବ୍ୟବସ୍ଥା କରାଯାଇଛି। କିନ୍ତୁ ଏହି ଟ୍ରଷ୍ଟବୋର୍ଡର ଅଭିଯୋଗ ବର୍ତ୍ତମାନ ପ୍ରଶାସନ ଠାରୁ ଦେବୋତ୍ତର କମିଶନର।କେହି ଶୁଣୁନଥିବା ଅଭିଯୋଗ ହୋଇଛି। ପୁରୁଣାଗଡ଼ ଗ୍ରାମରେ ରହିଥିବା ଜଗନ୍ନାଥ ମନ୍ଦିରର ଜମି ଉପରେ କୌଣସି ଅନୁମତି ନନେଇ ବ୍ଲକ ପ୍ରଶାସନ ଏକ କଂକ୍ରିଟ ରାସ୍ତା ନିର୍ମାଣକୁ ଗତ କିଛିମାସ ତଳେ ଜୋରଦାର ବିରୋଧ ହୋଇଥିଲା।
ଏପରିକି ଗ୍ରାମବାସୀ ଏବଂ ଟ୍ରଷ୍ଟବୋର୍ଡ ପକ୍ଷରୁ ଏହି ନିର୍ମାଣ ବିରୁଦ୍ଧରେ ଜିଲ୍ଲା ପ୍ରଶାସନ ଏବଂ ଦେବୋତ୍ତର କମିଶନରଙ୍କୁ ମଧ୍ୟ ଲିଖିତ ଅଭିଯୋଗ ଦିଆଯାଇଥିଲା। ଅଭିଯୋଗ ପରେ ତତ୍କାଳୀନ ଅନୁଗୁଳ ଉପଜିଲ୍ଲାପାଳ ଉକ୍ତ ଘଟଣା ଉପରେ ତଦନ୍ତ କରିବା ପାଇଁ ବିଡିଓ ଅନୁଗୁଳଙ୍କୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦେଇଥିଲେ। ରାସ୍ତା ନିର୍ମାଣ ଅଧାରେ ରହିଥିବା ବେଳେ ରାତି ଅଧିଆ ଏହାକୁ ସମ୍ପୂର୍ଣ୍ଣ କରାଗଲା। ଏପରିକି ଦେବୋତ୍ତର କମିଶନରଙ୍କ ବିନା ଅନୁମତିରେ ଏହି ନିର୍ମାଣ ହୋଇଥିବା ମନ୍ଦିର ଟ୍ରଷ୍ଟବୋର୍ଡ ପକ୍ଷରୁ ଅଭିଯୋଗ ହୋଇଥିଲେ ମଧ୍ୟ ଏହି କାର୍ଯ୍ୟର ବିଲ କିପରି କରାଗଲା ସେ ନେଇ ପ୍ରଶ୍ନ ଉଠିଛି।
ଏନେଇ ନିର୍ବାହୀ ଅଧିକାରୀ ରବିନାରାୟଣ ନନ୍ଦଙ୍କୁ ପଚାରିବାରୁ କହିଥିଲେ ଯେ, ଠାକୁରଙ୍କ ଜମିରେ ପ୍ରଶାସନ ରାସ୍ତା କଲା। କାଲି ଆଉ କେହି କୌଣସି ସରକାରୀ ଅନୁଦାନ ଆଣି ଏଠାରେ ନିର୍ମାଣ କରିବ। ଏହା ଫଳରେ ଠାକୁରଙ୍କ ଜମି ସଙ୍କୁଚିତ ହେବାକୁ ଲାଗିଛି। ଆମେ ସମସ୍ତଙ୍କୁ ଅଭିଯୋଗ କଲୁ ହେଲେ କୌଣସି ଫଳ ମିଳିପାରିଲା ନାହିଁ।
ଅନ୍ୟପଟେ ଅନୁଗୁଳ ବିଡିଓ ଡଃ ବିଶ୍ୱଭୂଷଣଙ୍କୁ ପଚାରିବାରୁ ଏହା ସ୍ଥାୟୀ ରାସ୍ତା ନୁହେଁ ବୋଲି କହିଥିଲେ।