ଅନୁଗୁଳ: ଅନୁଗୁଳ ଜିଲ୍ଲା ସଡ଼କ ସୁରକ୍ଷା କମିଟିର ଏକ ବୈଠକ ମଙ୍ଗଳବାର ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ମହମ୍ମଦ ଅଦଲ୍ ଅଖତରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକର ପ୍ରାରମ୍ଭରେ ସେପ୍ଟେମ୍ବର ମାସରେ ହୋଇଥିବା ଦୁର୍ଘଟଣା, ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଓ ବିଭିନ୍ନ ପ୍ରକାର ପଦକ୍ଷେପ ଉପରେ ପରିବହନ ବିଭାଗ ଦ୍ବାରା କମିଟି ସଭ୍ୟଙ୍କୁ ଅବଗ ତକରାଯାଇଥିଲା।
ପରିବହନ ବିଭାଗ ସୂଚନା ଅନୁଯାୟୀ, ଜାନୁଆରୀ ୨୦୨୪ରୁ ସେପ୍ଟେମ୍ବର ମଧ୍ୟରେ ୨୬୩ଟି ରାସ୍ତା ଦୁର୍ଘଟଣା ଘଟି ୧୨୭ ଜଣଙ୍କ ଜୀବନ ଯାଇଛି। ଗତ ସେପ୍ଟେମ୍ବର ମାସରେ ଜିଲ୍ଲାରେ ମୋଟ୍ ୨୨ ଟି ଦୁର୍ଘଟଣା ଘଟିଥିବା ବେଳେ ୧୪ ଜଣଙ୍କ ମୃତ୍ୟୁ ଘଟିଛି ଓ ୧୬ ଜଣ ଗୁରୁତର ଏବଂ ୫ ଜଣ ସାମାନ୍ୟ ଆହତ ହୋଇଛନ୍ତି। ସେହିପରି ଗତ ମାସରେ ୮୪୫ ଜଣ ବିନା ହେଲମେଟ୍, ୪୯ ଜଣ ବିନା ସିଟବେଲ୍ଟ, ୮୯୪ ଜଣଙ୍କ ଠାରୁ ଦ୍ରୁତ ଗାଡି ଚାଳନା ପାଇଁ ଜରିମାନା ଆଦାୟ କରାଯାଇଛି। ସେହିପରି ୨୯୬ ଜଣଙ୍କର ଲାଇସେନ୍ସ ନିଲମ୍ବନ କରାଯାଇଛି। ୪୩ ଜଣ ମଦ୍ୟପାନ କରି ଗାଡ଼ିଚାଳନା କରିଥିବା ବେଳେ ୫୧ ଟି ଗାଡି ଜବତ କରାଯାଇଛି।
ବୈଠକରେ ପୂର୍ବବିଭାଗର ରାସ୍ତା (ଜରାସିଂହା), ଜାତୀୟ ରାଜପଥ ୪୯ (ପାଳଲହଡା ବାଇପାସ୍ ଜଙ୍କସନ୍ ), ଜାତୀୟ ରାଜପଥ ୫୫ (ପଞ୍ଚମହଲା ଓ ସାଆଁନ୍ତରାପୁର), ଜାତୀୟ ରାଜପଥ ୧୪୯ (ଚାଇଁପାଳ ଓଭରବ୍ରିଜ୍,ବଲ୍ଲହର ଛକଠାରୁ ବଅଁରପାଳ) ଗୁଡିକର ଖୁବ୍ ଶୀଘ୍ର ମରାମତି କରିବା ନେଇ ଗୁରୁତ୍ବାରୋପ କରାଯାଇଥିଲା।ରାସ୍ତା ମରାମତି ଜାଗାରେ ଉଭୟ ପାର୍ଶ୍ଵରେ କଳକାରଖାନାରୁ ନିର୍ଗତ ବିଷାକ୍ତ ବର୍ଜ୍ୟବସ୍ତୁ ପକାଯାଇଥିବା ସମ୍ପର୍କରେ କମିଟିର ସଦସ୍ୟ ସାମ୍ବାଦିକ ସଂଗ୍ରାମ ରଞ୍ଜନ ଦାସ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତେବେ ସେହି ବର୍ଜ୍ୟବସ୍ତୁ ଉପରେ ତୁରନ୍ତ ମୋରମ ମାଟି ପକାଇ ରୋଲିଙ୍ଗ କରିବାକୁ ଜିଲ୍ଲାପାଳ ଜାତୀୟ ରାଜପଥ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।
ବୈଠକରେ ଉପଜିଲ୍ଲାପାଳ ବରଣ୍ୟନ୍ଦୁ ମହାନ୍ତି, ଅନୁଗୁଳ ଆଞ୍ଚଳିକ ପରିବହନ ଅଧିକାରୀ ନିଖିଲ କୁମାର ପଟ୍ଟନାୟକ, ଡ଼ିଏସପି ସୁଶାନ୍ତ ଟାଣ୍ଡିଆ, ଏମ ଭି ଆଇ ତାଳଚେର ପ୍ରିୟବ୍ରତ ମହାନ୍ତି, ବିଭୂରଞ୍ଜନ ନାଏକ, ଅନୁଗୁଳ ଜୁନିଅର ଏମ ଭି ଆଇ କେ. ଦିବ୍ୟଜ୍ୟୋତି ମହନ୍ତ, ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ସନ୍ତୋଷ ମାଝୀ, ଜିଲ୍ଲା ଟ୍ରକ ମାଲିକ ସଂଘ ସଭାପତି ଇଁ ଅମ୍ବିକା ପ୍ରସାଦ ଭଟ୍ଟ, ନିର୍ବାହୀ ଯନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ରାଜୁ ଧାନୁଲିଆଙ୍କ ସମେତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।