ଅନୁଗୁଳ: ଏବେର ଡିଜିଟାଲ୍ ଯୁଗରେ ସାଇବର ସୁରକ୍ଷାକୁ ନେଇ ଜନସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଅନୁଗୁଳ ଜିଲ୍ଲା ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ‘ସୁରକ୍ଷିତ ଇଣ୍ଟରନେଟ୍ ଦିବସ’ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟ-୨ ଏବଂ ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ-୧ ପରିସରରେ ସ୍ୱତନ୍ତ୍ର ସଚେତନତା ଶିବିର ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଜିଲ୍ଲା ସୂଚନା ବିଜ୍ଞାନ ଅଧିକାରୀ ଅଭିଷେକ ସିଂ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ସାଇବର ସୁରକ୍ଷାର ବିଭିନ୍ନ ଦିଗ ସମ୍ପର୍କରେ ଅବଗତ କରାଇଥିଲେ। ବିଶେଷ କରି ଇଣ୍ଟରନେଟ୍ର ବ୍ୟବହାର ସମୟରେ କିଭଳି ସତର୍କତା ଅବଲମ୍ବନ କରାଯିବ, କୃତ୍ରିମ ବୁଦ୍ଧିମତ୍ତା (AI) ର ନିରାପଦ ବ୍ୟବହାର ଏବଂ ସାଇବର ଠକେଇରୁ ରକ୍ଷା ପାଇବାର ଉପାୟ ସମ୍ବନ୍ଧରେ ସେ ଗୁରୁତ୍ୱପୂର୍ଣ୍ଣ ଟିପ୍ସ ପ୍ରଦାନ କରିଥିଲେ। ଡିଜିଟାଲ୍ ଦୁନିଆରେ ‘ସାଇବର ସ୍ଵଚ୍ଛତା’ ବଜାୟ ରଖିବା ସହ ବ୍ୟକ୍ତିଗତ ତଥ୍ୟକୁ କିଭଳି ଗୋପନୀୟ ରଖାଯିବ, ସେ ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଉଭୟ ବିଦ୍ୟାଳୟର ୩୦୦ରୁ ଅଧିକ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ଅଂଶଗ୍ରହଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ-୧ର ଅଧ୍ୟକ୍ଷ ହିରନ୍ମୟ ପ୍ରସାଦ ଚାନ୍ଦ ଏବଂ କେନ୍ଦ୍ରୀୟ ବିଦ୍ୟାଳୟ-୨ର ଅଧ୍ୟକ୍ଷ ପଙ୍କଜ କୁମାର ଉପସ୍ଥିତ ଥିଲେ। ଜିଲ୍ଲା ସୂଚନା ବିଜ୍ଞାନ କେନ୍ଦ୍ରର ଅନ୍ୟ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଛାତ୍ରଛାତ୍ରୀମାନେ ଏକ ସୁରକ୍ଷିତ ଡିଜିଟାଲ୍ ବାତାବରଣ ଗଠନ କରିବା ପାଇଁ ଶପଥ ନେଇଥିଲେ।


