ଅନୁଗୁଳ : ଅନୁଗୁଳ ଜିଲ୍ଲାର ସମସ୍ତ ସରପଞ୍ଚଙ୍କୁ ନେଇ ସ୍ଥାନୀୟ ମାରଓ୍ବାଡ଼ି ଧର୍ମଶାଳାରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଛି। କାର୍ଯ୍ୟକାରୀ ସଭାପତି ଦୁର୍ଯ୍ୟୋଧନ ସାହୁଙ୍କ ସଭାପତିତ୍ବରେ ଆୟୋଜିତ ବୈଠକରେ ଅନୁଗୁଳ, ଆଠମଲ୍ଲିକ, ବଅଁରପାଳ, ଛେଣ୍ଡିପଦା, କିଶୋରନଗର, ତାଳଚେର, କଣିହାଁ, ଓ ପାଳଲହଡ଼ା ବ୍ଲକର ସମସ୍ତ ସରପଞ୍ଚ ଯୋଗ ଦେଇଥିଲେ। ବୈଠକରେ ପଞ୍ଚାୟତ ସ୍ତରରେ ପ୍ରତ୍ୟେକ ସରପଞ୍ଚଙ୍କ ଅଧିକାର ଉପରେ ହସ୍ତକ୍ଷେପ କରାଯିବାକୁ ବିରୋଧ କରିବା ସହିତ ନିନ୍ଦା କରାଯାଇଥିଲା। ପଞ୍ଚାୟତରେ କରାଯାଉଥିବା ପ୍ରତ୍ୟେକ କାର୍ଯ୍ୟକୁ ବିଲ୍ କରି ଯଥା ଶୀଘ୍ର ଅର୍ଥ ପ୍ରଦାନ କରାଯାଉନାହିଁ, ସେ ବିଷୟରେ ଆଲୋଚନା କରାଯାଇଥିଲା।
ଏ ଅବସରରେ ପ୍ରତ୍ୟେକ ପଞ୍ଚାୟତକୁ ଜଣେ ଜେଇ, ଜିଆରଏସ୍ ଓ ପିଓ ନିଯୁକ୍ତି ଦେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା।ଆଜିଠୁ ସ୍ଥାୟୀ କମିଟି ଚୟନ ହେବା ପର୍ଯ୍ୟନ୍ତ ଦୁର୍ଯ୍ୟୋଧନ ସାହୁ କାର୍ଯ୍ୟ ତୁଲାଇବା ସହିତ ସମସ୍ତ ସଦସ୍ୟ ସଠିକ୍ ରୂପେ ଦାୟିତ୍ୱ ତୁଲାଇବାକୁ ନିଷ୍ପତ୍ତି ହୋଇଛି।