ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀ ଆଦ୍ଦିଶ୍ରୀ ଆରାଧ୍ୟା ସାହୁ ଆଠମଲ୍ଲିକ ଶିକ୍ଷା ଜିଲ୍ଲାରେ ତୃତୀୟ ଶ୍ରେଣୀ ସରକାରୀ ବୃତ୍ତି (ମେରିଟ ସ୍କୋଲାରସିପ)ପରୀକ୍ଷା ୨୦୨୪-୨୫ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଆଦ୍ଦିଶ୍ରୀଙ୍କ ଏହି ସଫଳ କୃତିତ୍ୱ ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛା ଛୁଟୁଛି। ଆଠମଲ୍ଲିକ ସହରର ପ୍ରତାପ କୁମାର ସାହୁ ଓ ରିଙ୍କିମୟୀ ସାହୁଙ୍କ ଝିଅ। ବିଦ୍ୟାଳୟର ବାର୍ଷିକ ଉତ୍ସବ ଅବସରରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ଢେଙ୍କାନାଳ ଲୋକସଭା ସାଂସଦ ରୁଦ୍ରନାରାୟଣ ପାଣି ଆଦ୍ଦିଶ୍ରୀଙ୍କୁ ବୃତ୍ତି ସାର୍ଟିଫିକେଟ ପ୍ରଦାନ କରିଛନ୍ତି।
ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ସଭାପତି ତଥା ଆଠମଲ୍ଲିକ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଆଦିତ୍ୟ କୁମାର ସାହୁ, ସମ୍ପାଦକ ଅଶୋକ କୁମାର ମିଶ୍ର, ପ୍ରଧାନ ଆଚାର୍ଯ୍ୟ ତରୁଣ କୁମାର ଦାସ, ଅଖିଳ ଭାରତୀୟ ସାହିତ୍ୟ ପରିଷଦ ସମ୍ପାଦକ ରାମକୃଷ୍ଣ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।