ଅନୁଗୁଳ: ଆଜି ସ୍ଥାନୀୟ ଗାନ୍ଧିମାର୍ଗ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବିଦ୍ୟାଳୟସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଛି। ଉଦଘାଟନ ଉତ୍ସବରେ ଅନୁଗୁଳ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡଃ ଦେବାଶିଷ ମିଶ୍ର ଯୋଗଦେଇ କୁନି ବୈଜ୍ଞାନିକଙ୍କୁ ଉତ୍ସାହିତ କରିବା ସହ ବିଜ୍ଞାନ କିଭଳି ଆମକୁ ଶ୍ରେଷ୍ଠ ଆଡ଼କୁ ନେଇପାରିବ ସେ ନେଇ ପରାମର୍ଶ ଦେଇଥିଲେ।
ବିଦ୍ୟାଳୟର ସଭାପତି ଡା. ସୁଧାକର ପାଳ, ସମ୍ପାଦକ ଅଶୋକ କୁମାର ମୋଦି, ସଦସ୍ୟା ବୁଲୁ ବେହେରା, ପ୍ରଧାନ ଆଚାର୍ଯ୍ୟ ଆଲୋକ ଭୋଇ, ସହ ପ୍ରଧାନ ଆଚାର୍ଯ୍ୟ ସୁରେଶ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ମେଳାର ଉଦଘାଟନ କରିଥିଲେ। ଶିଶୁ, ବାଲ ଓ କିଶୋର ବର୍ଗ ତିନୋଟି ପର୍ଯ୍ୟାୟରେ ବିଭିନ୍ନ ବିଷୟ ଉପରେ ମୋଟ ୩୭୨ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଛାତ୍ରଛାତ୍ରୀ ଶରୀରରେ ରକ୍ତ ସଞ୍ଚାଳନ, ଜଳ ସଂରକ୍ଷଣ, ଗତି, କୃଷି, ନୂତନ ପ୍ରୟୋଗ, ବାୟୁ ପ୍ରଦୂଷଣ ଓ ନିୟନ୍ତ୍ରଣ, ସମ୍ବେଦକ ଆଧାରିତ ନମୁନା ଓ ଗଣିତ ଚାର୍ଟ ଆଦି ପ୍ରଦର୍ଶିତ କରିଥିଲେ।
ପରେ ପ୍ରତ୍ୟେକ ବର୍ଗର ପ୍ରତି ବିଷୟରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇ ପୁରସ୍କୃତ କରାଯାଇଥିଲା। ବିଜ୍ଞାନ ମେଳାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ସଂକୁଳସ୍ତରୀୟ ଜ୍ଞାନ ବିଜ୍ଞାନ ମେଳାରେ ଅଂଶଗ୍ରହଣ କରିବେ।
ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ସଂଗ୍ରାମ ଗଡ଼ନାୟକ, ବିଜ୍ଞାନ ପ୍ରମୁଖ ବିଭୂତି ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ।