ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଓ ନିଶା ଶିଳ୍ପାଞ୍ଚଳ ପୋଲିସ ପକ୍ଷରୁ ଶୁକ୍ରବାର ବିଭିନ୍ନ ସ୍ଥାନରେ ଚଢାଉ କରି ୨୨ କ୍ୱିଣ୍ଟାଲ ଚୋରା କୋଇଲା ସହ ୩ଟି ସ୍କୁଟର ଓ ୫ଟି ମୋଟର ସାଇକେଲ ଜବତ କରାଯାଇଛି। ଏ ନେଇ ପୋଲିସ ୩ ମାମଲା ରୁଜୁ କରିବା ସହ ୮ଜଣଙ୍କୁ ଗିରଫ କରିଛି।
ପୋଲିସ ସୂଚନା ମୁତାବକ, ଛେଣ୍ଡିପଦା ଥାନା ପୋଲିସ ମୋଟର ସାଇକେଲରେ ବେଆଇନ ଭାବେ ଚୋରା କୋଇଲା ଚାଲାଣ ହେଉଥିବା ଖବର ପାଇ କୋଶଳା କୁମୁଣ୍ଡ ଯାଇଥିବା ରାସ୍ତାର ପଥରନାଳ ନିକଟରେ ଛକି ରହିଥିଲେ । ଏହି ସମୟରେ ୩ଟି ସ୍କୁଟର କୋଇଲା ବୋଝେଇ କରି କୁମୁଣ୍ଡାରୁ କୋଶଳା ଆଡକୁ ଆସୁଥିଲେ। ପୋଲିସ ସେମାନଙ୍କୁ ଅଟକାଇ ଯାଞ୍ଚ କରିବା ବେଳେ ଜଣେ ସ୍କୁଟର ଚାଳକ ପୋଲିସକୁ ଦେଖି ଫେରାର ହୋଇଯାଇଥିଲା।
ପୋଲିସ କୋଶଳା ଗ୍ରାମର ଯାଦବ ନାଏକ (୩୫) ଓ ବିନୟ ବେହେରାକୁ ଗିରଫ କରିବା ସହିତ ୩ଟି ସ୍କୁଟରରୁ ୬କୁଇଣ୍ଟାଲ କୋଇଲା ଜବତ କରିଛି।
ସେହିପରି ଛେଣ୍ଡିପଦା ପୋଲିସ କୋଶଳା ଝାରସୁଗୁଡା ସାହି ନିକଟରେ କୋଇଲା ବୋଝେଇ ହୋଇ କୋଶଳା ଆଡକୁ ଆସୁଥିବା ଗୋଟିଏ ମୋଟର ସାଇକେଲ ଓ ସ୍କୁଟରକୁ ଅଟକାଇ ଯାଞ୍ଚ କରିଥିଲେ। ସଠିକ କାଗଜ ପତ୍ର ଦେଖାଇ ନପାରିବାରୁ ପୋଲିସ ଉକ୍ତ ୨ଟି ଗାଡିରୁ ୪କୁଇଣ୍ଟାଲ କୋଇଲା ଜବତ କରିବା ସହିତ କୋଶଳା ଗ୍ରାମର ସୁବାଷ ସାହୁ (୩୩) ଓ ସୁଶାନ୍ତ ପ୍ରଧାନ (୩୦)ଙ୍କୁ ଗିରଫ କରିଛି। ଏ ନେଇ ଛେଣ୍ଡିପଦା ଥାନାରେ ୧୯୧/୨୩ ଓ ୧୯୨/୨୩ରେ ଦୁଇଟି ମାମଲା ରୁଜୁ କରିଛି।
ସେହିପରି ନିଶା ଶିଳ୍ପାଞ୍ଚଳ ଥାନା ପୋଲିସ ବେଆଇନ ଚୋରା କୋଇଲା ଚାଲାଣ ହେଉଥିବା ଖବର ପାଇ ବାଲିଚନ୍ଦ୍ରପୁର ନିକଟରେ ଚଢାଉ କରି ୪ଟି ମୋଟର ସାଇକେଲରୁ ୧୨ କୁଇଣ୍ଟାଲ ଚୋରା କୋଇଲା ଜବତ କରିବା ସହିତ କଣିହାଁ ଥାନା କୁମଣ୍ଡ ଗ୍ରାମର ସୁନିଲ କୁମାର ସାହୁ, କଙ୍କରେଇ ଗ୍ରାମର ସୁମନ୍ତ ପ୍ରଧାନ, ସୁନିଲ କୁମାର ପ୍ରଧାନ ଓ ଜରପଡା ଥାନା କୋରଡା ଗ୍ରାମର ସୁଶାନ୍ତ ବେହେରାଙ୍କୁ ଗିରଫ କରିଛି। ଏ ନେଇ ନିଶା ଶିଳ୍ପାଞ୍ଚଳ ଥାନା କେସନଂ ୯୭/୨୩ରେ ଏକ ମାମଲା ରୁଜୁ କରି ୪ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି।