ଅନୁଗୁଳ: ଅନୁଗୁଳ ସହର ଶିକ୍ଷକପଡ଼ାଠାରେ ସଂଘଠିତ ହିଂସାତ୍ମକ ଆକ୍ରମଣ ଏବଂ ଗୁଳିଚାଳନା ଘଟଣାରେ ସମ୍ପୃକ୍ତ ଚାରି ଜଣଙ୍କୁ ଆଜି ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତ ମାନେ ହେଲେ ହାପି ଓରଫ ମାନସ ରଂଜନ ମଲ୍ଲିକ (୨୬), ଲିପୁ ଓରଫ ଧର୍ମାନନ୍ଦ ମଲ୍ଲିକ୍ (୨୮), ଦିଲ୍ଲୀପ ମଲିକ୍ (୪୨), ଚେଣ୍ଟି ଓରଫ ଶୁଭମ ରାଉତ(୨୧)। ଅଭିଯୁକ୍ତଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ମଧ୍ୟ ରହିଛି।ଅଭିଯୋଗକାରୀ ଶିକ୍ଷକପଡ଼ାର ରଞ୍ଜିତ ମିତ୍ର(୩୭)ଙ୍କ ଅଭିଯୋଗ କ୍ରମେ ଗତ ୧୦ ତାରିଖ ରାତିରେ ଏକ ଟ୍ୟୁରିଷ୍ଟ ବସ ଗାଡି ଧୋଇବା ଦ୍ୱାରା ରାସ୍ତାରେ ପାଣି ବୋହିବାକୁ କେନ୍ଦ୍ର କରି ବନ୍ଧୁକରୁ ଗୁଳି ଫୁଟିବା ସହ ମରଣାତ୍ମକ ଆକ୍ରମଣରେ ତାଙ୍କ ଭାଇ ବିଶ୍ୱଜିତ ମିତ୍ର ଏବଂ ଭବାନୀ ଶଙ୍କର ପ୍ରଧାନ ଆହତ ହୋଇ ଚିକିତ୍ସିତ ହେଉଛନ୍ତି।
ଅପରାଧ ପରେ ଅଭିଯୁକ୍ତମାନେ ଭୁବନେଶ୍ୱର, ଢେଙ୍କାନାଳ, କଟକ ସମେତ ବିଭିନ୍ନ ସ୍ଥାନକୁ ଚାଲିଯାଇଥିଲେ। ମାମଲା ପଞ୍ଜୀକରଣ ପରେ ଅନୁଗୁଳ ଏସପି ରାହୁଲ ଜୈନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚାରୋଟି ଦଳ ଗଠନ କରାଯାଇଥିଲା ଏବଂ ନିରବଚ୍ଛିନ୍ନ ଭାବରେ ଚଢାଉ କରାଯାଇଥିଲା। ଗୁଇନ୍ଦା ସୂଚନା ଏବଂ ନିରନ୍ତର ଡିଜିଟାଲ୍ ଏବଂ ଇଲେକ୍ଟ୍ରୋନିକ୍ ନିରୀକ୍ଷଣ ଉପରେ ଆଧାର କରି ଚାରି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ମାମଲାରେ ଜଡିତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ତଲାସ ଜାରି ରହିଛି। ପୁଲିସ ତଦନ୍ତକାରୀ ଦଳରେ ଆଇଆଇସି ଅନୁଗୁଳ ଥାନା ଧୀରଶ କୁମାର ଦାସ, ଗୋବିନ୍ଦା ଚନ୍ଦ୍ର ସାହୁ, ଇନ୍ସପେକ୍ଟର ଆୟେଶକାନ୍ତ ଜେନା, ମହେଶ ନାୟକ, ଲିଙ୍ଗରାଜ ବେହେରା, ନୀଳାମ୍ବର ଦଳବେହେରା ଏବଂ ସାଇବର ସେଲର କର୍ମଚାରୀ ସାମିଲ ହୋଇଥିଲେ ବୋଲି ସୂଚନା ଦେଇଛନ୍ତି ଏସଡିପିଓ ରମାକାନ୍ତ ମହାଳିକ।


