ଅନୁଗୁଳ ସାହିତ୍ୟ ସଂସଦ ପକ୍ଷରୁ ଶିଶିର ଉତ୍ସବ

You are currently viewing ଅନୁଗୁଳ ସାହିତ୍ୟ ସଂସଦ ପକ୍ଷରୁ ଶିଶିର ଉତ୍ସବ

ଅନୁଗୁଳ: ସ୍ଥାନୀୟ ରୋଟାରୀ ପବ୍ଲିକ ସ୍କୁଲରେ ଅନୁଗୁଳ ଜିଲ୍ଲା ସାହିତ୍ୟ ସଂସଦ ପକ୍ଷରୁ ଶିଶିର ଉତ୍ସବ ଆୟୋଜିତ ହୋଇଯାଇଛି।ଏହି ଉତ୍ସବକୁ ପ୍ରଦୀପ ଜାଳି ଉଦ୍ଘାଟନ କରିଥିଲେ ଆଇ.ଜି.ଆଇ.ଟି ସରାଙ୍ଗ କମ୍ପ୍ୟୁଟର ବିଭାଗର ମୁଖ୍ୟ ପ୍ରଫେସର ଶ୍ରୀନିବାସ ସେଠି।

ଶ୍ରୀ ସେଠି “କୃତ୍ରିମ ବୁଦ୍ଧିମତା” ଉପରେ ନିଜ ଅଭିମତ ବ୍ୟାଖ୍ୟା କରିଥିଲେ। କୃତ୍ରିମ ବୁଦ୍ଧିମତା କୁ ନେଇ ବିଦେଶରେ ଥିବା ଭାରତୀୟ ମାନେ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଏ.ଆଇ ଯୋଗୁଁ ଚାକିରୀ ହରାଇବାର ଆଶଙ୍କା ଉପୁଜିଛି। କିନ୍ତୁ ମଣିଷ ପ୍ରକୃତ ବୁଦ୍ଧିମତାର ସହ ଏ.ଆଇକୁ ପ୍ରୟୋଗ କଲେ ଏହା ମାନବ କଲ୍ୟାଣ ସାଧନ କରିପାରିବ। କୃତ୍ରିମ ବୁଦ୍ଧିମତା ତଥ୍ୟ ଏବଂ ପରିସଂଖ୍ୟାନକୁ ଉପଯୋଗ କରି ଅନେକ ସମସ୍ୟାର ସମାଧାନ କରିପାରିବ।

ଶିକ୍ଷା ସ୍ଵାସ୍ଥ୍ୟ ଓ ପରିବହନ କୃଷି, ସାଇବର ସିକ୍ୟୁରିଟି କ୍ଷେତ୍ରରେ ଏହା ଅମୋଘ ଅସ୍ତ୍ର ଭଳି କାର୍ଯ୍ୟ କରି ଆସୁଚି। ତେଣୁ ଏ.ଆଇର କ୍ଷତିକାରୀ ଦିଗ ପ୍ରତି ଧ୍ୟାନ ନଦେଇ ଏହା କିଭଳି ସମାଜର ବୃହତ୍ତର ହିତ ସାଧନ କରିବ ସେଥି ପ୍ରତି ବିଶେଷଜ୍ଞ ଓ ବୈଜ୍ଞାନିକ ମାନେ ଧ୍ୟାନ ଦେବା ଉଚିତ୍ ବୋଲି ଶ୍ରୀ ସେଠି ପ୍ରକାଶ କରିଥିଲେ। ସଭାରେ ସାହିତ୍ୟ ସଂସଦର ସଭାପତି ପ୍ରାଧ୍ୟାପକ କୁମୁଦ ଚନ୍ଦ୍ର ଦାସ ଯୋଗ ଦେଇ ମୁଖ୍ୟ ଅତିଥିଙ୍କୁ ପୁଷ୍ପଗୁଚ୍ଛ ଓ ଅଙ୍ଗବସ୍ତ୍ର ଦେଇ ସ୍ବାଗତ କରିବା ସହ ଏ.ଆଇ ଯେତେ ଚମତ୍କାରିତା ସୃଷ୍ଟି କଲେ ମଧ୍ୟ ସାହିତ୍ୟର ସ୍ଥାନ ନେଇ ପାରିବ ନାହିଁ ବୋଲି ମତ ଦେଇଥିଲେ କାରଣ ଏଥିରେ କବି ବା ଲେଖକର ଆବେଗ ଓ ସମ୍ମୋହନ ମିଳିବ ନାହିଁ।

ଅନ୍ୟତମ ବିଶିଷ୍ଟ ଅତିଥି ରୂପେ ଶିକ୍ଷାବିତ୍ ଶାନ୍ତନୁ କୁମାର ସର ଯୋଗ ଦେଇ ବିଦେଶରେ ଏବେ ଏ.ଆଇକୁ ଉପଯୋଗ କରି ମଣିଷ କିଭଳି ଅନେକ ସୁଖ ସୁବିଧା ପାଇ ପାରୁଚି ତାହା ବର୍ଣ୍ଣନା କରିଥିଲେ ସେହିଭଳି ଏ.ଆଇ ସାହିତ୍ୟ କ୍ଷେତ୍ରରେ ଆଦୌ ସଙ୍କଟ ସୃଷ୍ଟି କରି ପାରିବ ନାହିଁ ବୋଲି ମତ ଦେଇଥିଲେ। ସଭା ପ୍ରାରମ୍ଭରେ ସଂସଦର ସମ୍ପାଦକ ରାଧାକାନ୍ତ ମହାନ୍ତି ଶିଶିର ଉତ୍ସବର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ।ଶେଷରେ ଶିବରାମ ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ। ଉତ୍ସବର ଦ୍ଵିତୀୟ ପର୍ଯ୍ୟାୟ ରେ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଲତିକା ମହାପାତ୍ର ଓ ନୀହରିକା ସାହୁଙ୍କ ସଂଯୋଜନାରେ ୪୦ ରୁ ଉର୍ଦ୍ଧ୍ବ କବି ଓ କବୟିତ୍ରୀ ସାଂପ୍ରତିକ ସମାଜର ବିଭିନ୍ନ ବୈଶିଷ୍ଟ୍ୟ ଉପରେ ସ୍ବରଚିତ କବିତା ଆବୃତ୍ତି କରିଥିଲେ।

Share

Leave a Reply