ଅନୁଗୁଳ: ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର ଆଜି ଅନୁଗୁଳ ଜିଲ୍ଲା ଗସ୍ତ କରି ବିଭିନ୍ନ ଶିଶୁ ସୁରକ୍ଷା କେନ୍ଦ୍ର ଓ ଶିକ୍ଷାନୁଷ୍ଠାନର ସ୍ଥିତି ପରଖିଛନ୍ତି। ଏହି ଗସ୍ତ ସମୟରେ ତାଙ୍କ ସହ ଆୟୋଗର ସଦସ୍ୟା ମନସ୍ମିତା ଖୁଣ୍ଟିଆ ଓ କସ୍ତୁରୀ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ। ଅଧ୍ୟକ୍ଷା ପ୍ରଥମେ ବଅଁରପାଳ ଆଶ୍ରମ ସ୍କୁଲ, ଅନୁଗୁଳ ଜୁଭେନାଇଲ ଅବଜରଭେସନ ହୋମ୍ ଏବଂ ଉତ୍କଳ ବାଳାଶ୍ରମ ପରିଦର୍ଶନ କରି ସେଠାରେ ଥିବା ଶିଶୁମାନଙ୍କ ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଥିଲେ। ଏହି ପରିଦର୍ଶନ କାଳରେ ହିଙ୍ଗୁଳା ମନ୍ଦିର ନିକଟରୁ ଭିକ୍ଷାବୃତ୍ତି କରୁଥିବା ୨ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଥିଲା।
ଅପରାହ୍ନରେ ସର୍କିଟ ହାଉସ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଅବଦାଲ ମୁହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପ୍ରାରମ୍ଭରେ ଜିଲ୍ଲାପାଳ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ଏହି ଆଲୋଚନାରେ ଜିଲ୍ଲାର ସମସ୍ତ ଶିଶୁଗୃହ, ବାଳାଶ୍ରମ ଓ କନ୍ୟାଶ୍ରମରେ ରହୁଥିବା ଅନ୍ତେବାସୀମାନେ କିଭଳି ସରକାରୀ ଯୋଜନାର ସୁଫଳ ପାଇପାରିବେ, ସେ ସମ୍ପର୍କରେ ଗୁରୁତ୍ୱାରୋପ କରାଯାଇଥିଲା। ବିଶେଷ କରି ବାଲ୍ୟ ବିବାହ, ଶିଶୁ ଶ୍ରମିକ ଓ ବେଆଇନ ଶିଶୁ ଚୋରା ଚାଲାଣ ରୋକିବା ପାଇଁ ଅଧ୍ୟକ୍ଷା କଠୋର ନିର୍ଦ୍ଦେଶ ଦେବା ସହ ଛତୁଆ କେନ୍ଦ୍ରଗୁଡ଼ିକରେ ଲାଗିଥିବା ସିସିଟିଭିକୁ ଜିଲ୍ଲା କାର୍ଯ୍ୟାଳୟ ସହ ସଂଯୋଗ (Centralized) କରିବାକୁ ପରାମର୍ଶ ଦେଇଥିଲେ।
ଏହାବ୍ୟତୀତ ଆବାସିକ ବିଦ୍ୟାଳୟଗୁଡ଼ିକରେ ଶିଶୁମାନଙ୍କର ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଓ କ୍ଷେତ୍ର ପରିଦର୍ଶନ ଉପରେ ଜିଲ୍ଲାପାଳଙ୍କୁ ଦୃଷ୍ଟି ଦେବାକୁ କୁହାଯାଇଥିଲା। ଏହି ବୈଠକରେ ଅନୁଗୁଳ ଆରକ୍ଷୀ ଅଧୀକ୍ଷକ ରାହୁଳ ଜୈନ, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ମଦନ ମୋହନ ପ୍ରଧାନ, ସମାଜ କଲ୍ୟାଣ ଅଧିକାରୀ ନିରୂପମା ପାଣି, ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ ଏବଂ ଶିଶୁ ସୁରକ୍ଷା ଅଧିକାରୀ ଗୌରୀ ଶଙ୍କର ବେହେରାଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।



