ବଅଁରପାଳ ଡିଗ୍ରୀ ମହାବିଦ୍ୟାଳୟରେ ରାଜ୍ୟ ସ୍ତରୀୟ ଓଡ଼ିଆ ପୁସ୍ତକ ଚର୍ଚ୍ଚା

0

ଅନୁଗୁଳ:ଓଡ଼ିଆ ଭାଷା ପ୍ରତିଷ୍ଠାନ,ଭୁବନେଶ୍ୱର ଏବଂ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ,ପାଞ୍ଚଗଡ଼ ସୋମନାଥ ସିଂହ ଜଗଦ୍ଦେବ ସ୍ନାତକ ମହାବିଦ୍ୟାଳୟ, ବଅଁରପାଳଙ୍କ ମିଳିତ ଆନୁକୂଲ୍ୟରେ ” ରାଜ୍ୟ ସ୍ତରୀୟ ଓଡ଼ିଆ ପୁସ୍ତକ ଚର୍ଚ୍ଚା” କାର୍ଯ୍ୟକ୍ରମ ଶୁକ୍ରବାର ଆୟୋଜିତ ହୋଇଯାଇଛି । ଏଥିରେ ଅତିଥି ଭାବେ କୁମୁଦ ଚନ୍ଦ୍ର ଦାଶ ଯୋଗଦେଇ ଆଧୁନିକ ଓଡ଼ିଆ କବ୍ୟାଧାରା ଓ ରାଧାମୋହନ ଗଡ଼ନାୟକଙ୍କ କବିତାର ଭାଷା ଏବଂ ଶାନ୍ତନୁ କୁମାର ସର ଗଡ଼ନାୟକଙ୍କ ଉତ୍କଳିକା କବିତା ପୁସ୍ତକ ସମୀକ୍ଷା କରିଥିଲେ । ଓଡ଼ିଆ ଭାଷା ପ୍ରତିଷ୍ଠାନର ଦୁଇ ପରାମର୍ଶ ଦାତା ଡକ୍ଟର ଫଣୀନ୍ଦ୍ର ଭୂଷଣ ନନ୍ଦ ଓ ପ୍ରଫେସର ପ୍ରେମାନନ୍ଦ ମହାପାତ୍ର ଯଥାକ୍ରମେ ଗଡ଼ନାୟକଙ୍କ ସାହିତ୍ୟ କୃତି ଏବଂ ତାଙ୍କ ବୈଶିଷ୍ଟ୍ୟ ପ୍ରଦାନ କରିବା ସଙ୍ଗେ ସଙ୍ଗେ ପ୍ରାରମ୍ଭିକ ଓ ସମାପନୀ ଅଭିଭାଷଣ ପ୍ରଦାନ କରିଥିଲେ ।

ଏହି ସଭାରେ +୨ ଅଧ୍ୟକ୍ଷ ଅଶୋକ ପ୍ରଧାନ ସଭାପତିତ୍ବ କରିଥିବା ସ୍ଥଳେ ଅଧ୍ୟାପକ ମନୋଜ କୁମାର ବେହେରା ମଞ୍ଚ ପରିଚାଳନା ଓ ଓଡ଼ିଆ ବିଭାଗ ମୁଖ୍ୟ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସାରସ୍ବତ ସଭାରେ ଓଡ଼ିଆ ଭାଷା ପ୍ରତିଷ୍ଠାନର କର୍ମଚାରୀ ତଥା ଅନୁଗୁଳ ନିବାସୀ ପ୍ରଶାନ୍ତ କୁମାର ନାୟକ ନିଜ ଜୀବନର ୧୮ ବର୍ଷ କାଳ ଓଡ଼ିଆ ଭାଷା ପାଇଁ ଉତ୍ସର୍ଗୀତ କରିଥିବା ଯୋଗୁଁ ତାଙ୍କୁ ଅନୁଷ୍ଠାନ ସମ୍ବର୍ଦ୍ଧିତ କରିଥିଲା। ଏଥିରେ ଅଧ୍ୟକ୍ଷଙ୍କ ପ୍ରତିନିଧି ଭାବେ ଅଧ୍ୟାପକ ପାର୍ଥବୀର ନାୟକ ସହଯୋଗ କରିଥିଲେ।

ପରିଶେଷରେ ଅନୁଷ୍ଠାନ ତରଫରୁ ପ୍ରବନ୍ଧ, ବକ୍ତୃତା ଓ ଶୁଦ୍ଧ ଲିଖନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ।

Leave A Reply

Your email address will not be published.

error: Content is protected !!