ତାଳଚେର DMF ପାଣ୍ଠିକୁ ନେଇ ବିଧାନସଭାରେ ସୂଚନା: ୫ ବର୍ଷରେ ଆଦାୟ ହୋଇଛି ୨୭୧୦ କୋଟିରୁ ଅଧିକ ଟଙ୍କା

You are currently viewing ତାଳଚେର DMF ପାଣ୍ଠିକୁ ନେଇ ବିଧାନସଭାରେ ସୂଚନା: ୫ ବର୍ଷରେ ଆଦାୟ ହୋଇଛି ୨୭୧୦ କୋଟିରୁ ଅଧିକ ଟଙ୍କା

ଭୁବନେଶ୍ୱର: ବିଧାନସଭା ଅଧିବେଶନ କାଳରେ ତାଳଚେର ନିର୍ବାଚନ ମଣ୍ଡଳୀର ଜିଲ୍ଲା ଖଣିଜ ପ୍ରତିଷ୍ଠାନ (DMF) ପାଣ୍ଠିର ବିନିଯୋଗ ସମ୍ପର୍କରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ପଚାରିଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତାଳଚେର ଅଞ୍ଚଳରୁ ଆଦାୟ ହେଉଥିବା ଅର୍ଥର ବ୍ୟବହାର ଏବଂ ଏହାର ନୀତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଓଡ଼ିଶା ଜିଲ୍ଲା ଖଣିଜ ପ୍ରତିଷ୍ଠାନ ନିୟମାବଳୀ, ୨୦୧୫ ଏବଂ ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନା (PMKKKY) ର ନିର୍ଦ୍ଦେଶାବଳୀ ଆଧାରରେ ଏହି ପାଣ୍ଠି ଖର୍ଚ୍ଚ କରାଯାଉଛି। ବିଶେଷ କରି ଖଣି ପ୍ରଭାବିତ ଅଞ୍ଚଳର ଲୋକଙ୍କ ହିତ ଏବଂ ସାମଗ୍ରିକ ବିକାଶ ପାଇଁ ଏହି ଅର୍ଥ ବିନିଯୋଗ କରିବାର ବ୍ୟବସ୍ଥା ରହିଛି। ଅନୁଗୁଳ ଜିଲ୍ଲାରୁ ପ୍ରାପ୍ତ ତଥ୍ୟ ଅନୁସାରେ, ଗତ ୫ ବର୍ଷ ମଧ୍ୟରେ ଅର୍ଥାତ ୨୦୨୦-୨୧ ଆର୍ଥିକ ବର୍ଷଠାରୁ ୨୦୨୫-୨୬ (ଫେବ୍ରୁଆରୀ) ପର୍ଯ୍ୟନ୍ତ ତାଳଚେର ଅଞ୍ଚଳରୁ ମୋଟ ୨୭୧୦.୦୨ କୋଟି ଟଙ୍କା DMF ପାଣ୍ଠି ବାବଦରେ ଆଦାୟ କରାଯାଇଛି। ଏହି ପାଣ୍ଠିରୁ ତାଳଚେର ଅଞ୍ଚଳର ବିକାଶ ପାଇଁ ବିଭିନ୍ନ ବର୍ଷରେ କରାଯାଇଥିବା ଖର୍ଚ୍ଚର ବର୍ଷୱାରୀ ତାଲିକା ମଧ୍ୟ ସରକାରଙ୍କ ପକ୍ଷରୁ ଉପସ୍ଥାପନ କରାଯାଇଛି।

ଅନ୍ୟପଟେ, ତାଳଚେରର ପାଣ୍ଠି ଅନ୍ୟତ୍ର ଖର୍ଚ୍ଚ ହେବା ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନିୟମାବଳୀ ଅନୁଯାୟୀ ଏହି ଅର୍ଥ ତାଳଚେର ସମେତ ଅନୁଗୁଳ ଜିଲ୍ଲାର ଅନ୍ୟାନ୍ୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଖଣି ପ୍ରଭାବିତ ଅଞ୍ଚଳର ବିକାଶ ପାଇଁ ବ୍ୟବହାର କରାଯାଉଛି। ଏଥିସହିତ ଓଡ଼ିଶା ଜିଲ୍ଲା ଖଣିଜ ପ୍ରତିଷ୍ଠାନ ନିୟମାବଳୀର ଧାରା ୧୧ (A)(d) ଏବଂ ଜିଲ୍ଲା ଟ୍ରଷ୍ଟ ବୋର୍ଡର ଅନୁମୋଦନ କ୍ରମେ, ଅନୁଗୁଳ ଜିଲ୍ଲାରେ ଖଣି ଖନନ ଯୋଗୁଁ ପ୍ରଭାବିତ ହେଉଥିବା ପାର୍ଶ୍ବବର୍ତ୍ତୀ ଢେଙ୍କାନାଳ ଜିଲ୍ଲାର ଅଞ୍ଚଳଗୁଡ଼ିକ ପାଇଁ ୮୬.୧୫ କୋଟି ଟଙ୍କା ପ୍ରଦାନ କରାଯାଇଛି। ଖଣି ପ୍ରଭାବିତ ଜନସାଧାରଣଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ପାଇଁ ସରକାର ସ୍ୱଚ୍ଛତାର ସହ ଏହି ପାଣ୍ଠିର ବିନିଯୋଗ କରୁଥିବା ମୁଖ୍ୟମନ୍ତ୍ରୀ ନିଜ ଉତ୍ତରରେ ଦର୍ଶାଇଛନ୍ତି।

Share

Leave a Reply