ଅନୁଗୁଳ: ରାଜ୍ୟ ଭାରତୀୟ ଜନତା ପାର୍ଟିର ପିତାମହ ଭୀଷ୍ମ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ଏକ ବିରାଟ ପ୍ରତିମୂର୍ତ୍ତି ଆଜି ତାଳଚେର ପୌରାଞ୍ଚଳ ୧୮ ନମ୍ବର ୱାର୍ଡ ଅନ୍ତର୍ଗତ ମାଉସୀ ମା’ ମନ୍ଦିର ସ୍ଥିତ ଦେଉଳବେଡ଼ା ତେଲି ସାହିଠାରେ ଉନ୍ମୋଚିତ ହୋଇଯାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପିତା ସ୍ୱର୍ଗତ ପ୍ରଧାନଙ୍କ ସ୍ମୃତିକୁ ଉଜ୍ଜୀବିତ ରଖିବା ପାଇଁ “ଡାକ୍ତର ଦେବେନ୍ଦ୍ର ପ୍ରଧାନ ସ୍ମୃତି ପରିଷଦ” ପକ୍ଷରୁ ଏହି ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ରାଜ୍ୟ ପଞ୍ଚାୟତରାଜ ମନ୍ତ୍ରୀ ରବି ନାୟକ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିମୂର୍ତ୍ତିର ଅନାବରଣ କରିଥିଲେ।
ଏହି ସ୍ମୃତି ସଭାରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ପର୍ଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନ, ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି, କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା ଏବଂ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ପ୍ରମୁଖ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିସହିତ ତାଳଚେର ପୌର ପରିଷଦ ନଗରପାଳ ପବିତ୍ର ଭୂତିଆ, ଅନୁଗୁଳ ଜିଲ୍ଲା ବିଜେପି ସଭାପତି ଯଯାତୀ କେଶରୀ ପଟ୍ଟନାୟକ, ଢେଙ୍କାନାଳ ଜିଲ୍ଲା ବିଜେପି ସଭାପତି ରାହାସ ବିହାରୀ ଜେନା ଏବଂ ବିଜେପି ନେତା ମନୋଜ ପ୍ରଧାନ ମଧ୍ୟ ଉପସ୍ଥିତ ରହି ସ୍ୱର୍ଗତ ପ୍ରଧାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ସ୍ମୃତି ପରିଷଦର ସଭାପତି ତୁଷାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ବକ୍ତାମାନେ ସ୍ୱର୍ଗତ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ରାଜନୈତିକ ଜୀବନୀ, ବିଜେପି ଦଳ ପ୍ରତି ତାଙ୍କର ଅତୁଳନୀୟ ଅବଦାନ ଏବଂ ତାଙ୍କ ସମୟରେ ନିଆଯାଇଥିବା ବିକାଶମୂଳକ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ। ଜଣେ ଜନପ୍ରିୟ ଚିକିତ୍ସକ ଓ ନେତା ଭାବେ ତାଙ୍କର ସାମାଜିକ ପ୍ରତିଷ୍ଠାକୁ ସମସ୍ତେ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମରେ ଗ୍ରାମ କମିଟି ସଭାପତି ନବ କିଶୋର ସାହୁ, ବିଭିନ୍ନ ପଞ୍ଚାୟତର ପ୍ରତିନିଧି, ସରପଞ୍ଚ, ସମିତି ସଭ୍ୟ ଓ ଶତାଧିକ ସ୍ଥାନୀୟ ଜନସାଧାରଣ ସାମିଲ ହୋଇଥିବା ବେଳେ ସ୍ମୃତି ପରିଷଦର ସାଧାରଣ ସମ୍ପାଦକ ଜ୍ଞାନରଞ୍ଜନ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।


