ଅନୁଗୁଳ: ଆଜକୁ ପ୍ରାୟ ଦୁଇ ଦଶନ୍ଧି ତଳେ ତାଳଚେରର ବସନ୍ତ କୁମାର ମହାପାତ୍ରଙ୍କ ଘରେ ଯେତେବେଳେ ଶିଶୁଟିଏ ଜନ୍ମ ନେଇଥିଲା। ସେତେବେଳେ ସାଧାରଣଭାବେ ପରିବାରରେ ଆନନ୍ଦ ଖେଳିଯାଇଥିଲା। କିନ୍ତୁ କିଛିଦିନ ପରେ ଜଣା ଗଲା ଶିଶୁଟି ଥିଲା ଶ୍ରବଣବାଧିତ। ସେତେବେଳେ ପରିବାରରର ସବୁ ସୁଖ ପାଣି ଫୋଟକା ଭଳି ହଜି ଯାଇଥିଲା।ବସନ୍ତଙ୍କ ଦୁଃଖ ସେତିକିରେ ସରି ନଥିଲା। ଯେତେବେଳେ ଦ୍ଵିତୀୟ ପୁତ୍ର ଜନ୍ମ ନେଇଥିଲା ସେତେବେଳେ ସେ ବି ସେଇ ସମାନ ଅକ୍ଷମତାର ଶିକାର ହୋଇଥିଲା।
ଦୁଃଖର ପାହାଡ଼ ଆଉ ଅଜସ୍ର ଚିନ୍ତା ପରିବାର ଉପରେ ଥିଲା। ଏଇଠି ବସନ୍ତ କିନ୍ତୁ ହିମ୍ମତ ହାରି ନଥିଲେ।ଏମସିଏଲରେ ଚାକିରି କରୁଥିବା ବସନ୍ତ ନିଜେ ଜଣେ କ୍ରିକେଟର ହେବା ପାଇଁ ସ୍ବପ୍ନ ଦେଖିଥିଲେ।ତାଙ୍କର ଜିଦ୍ ଆରମ୍ଭ ହେଇଥିଲା ଯେ ଶ୍ରବଣବାଧିତ ଦୁଇ ପୁଅଙ୍କୁ ସେ କ୍ରିକେଟର କରିବେ। ଯେତେ ଝଡ଼ଝଞ୍ଜା ଆସିଲା, ଯିଏ ଯାହା କହିଲା କୌଣସି କଥାକୁ ଖାତର ନକରି ନିଜ ଲକ୍ଷ୍ୟରେ ଅଟଳ ରହିଲେ। ପିଲା ଦୁଇଟିକୁ ଖେଳ ଶିଖାଇଲେ। ଆଉ ସେ ସଂଘର୍ଷ ବାପାଙ୍କ ସେ ସ୍ବପ୍ନ ଆଜି ପୂରଣ ହେଇଛି।
ବଡ଼ ପୁଅ ସନ୍ତୋଷ କୁମାର ମହାପାତ୍ର ନିକଟରେ ଓଡ଼ିଶା ଡିଫ କ୍ରିକେଟ ଟିମର କ୍ୟାପଟେନ ଘୋଷିତ ହୋଇଥିବା ବେଳେବସାନ ପୁଅ ଦିବ୍ୟ ରଞ୍ଜନ ମହାପାତ୍ର ୱିକେଟ କିପର ଭାବେ ଓଡ଼ିଶା ଦଳ ପାଇଁ ଖେଳିବେ। ନୂଆ ଦିଲ୍ଲୀରେ ଆସନ୍ତା ୩ ନଭେମ୍ବରରେ ଆରମ୍ଭ ହେବ ଜାତୀୟ ଡ଼ିଫ କ୍ରିକେଟ ଟିମର କୋଡ଼ିଏ ଓଭର ବିଶିଷ୍ଟ ଜାତୀୟ ପ୍ରତିଯୋଗିତା।ଓଡ଼ିଶା ଟିମରେ ଅନୁଗୁଳର ତିନିଜଣ ଖେଳାଳୀ ରହିଛନ୍ତି। ତୃତୀୟ ଖେଳାଳୀ ଜଣକ ହେଲେ ପୁରୁଷୋତ୍ତମ ଗଡ଼ନାୟକ।
ବସନ୍ତଙ୍କ ବଡ଼ ପୁଅ ସନ୍ତୋଷ ପୂର୍ବରୁ ସାଧାରଣ ବର୍ଗରେ ଖେଳି ବିନୁମଙ୍କଡ ଟ୍ରଫି,ଅଣ୍ଡର ୧୭, ଅଣ୍ଡର ୧୯ ଆଦି ପ୍ରତିଯୋଗିତାରେ ଖେଳିଛନ୍ତି। ଶାରୀରିକ ଅକ୍ଷମତା ପାଇଁ ରଣଜିତ୍ ଟ୍ରଫି ଖେଳିବାରୁ ଅଳ୍ପକେ ବଞ୍ଚିତ ହେବା ପରେ ବାପା ଡିଫ୍ ଟିମରେ ଖେଳାଇବାକୁ ମନସ୍ଥ କରିଥିଲେ।ଆଇଟିଆଇ ପରେ ଡିପ୍ଲୋମା ସାରିଥିବା ସନ୍ତୋଷଙ୍କୁ ଏବେ ଓଡ଼ିଶା ଡ଼ିଫ୍ କ୍ରିକେଟର ରନ ମେସିନ କୁହା ଯାଉଛି। ସାନ ପୁଅ ଦିବ୍ୟ ମଧ୍ୟ ୱିକେଟ କିପର ବ୍ୟାଟସ ମ୍ୟାନ ଭାବେ ଭଲ ପ୍ରଦର୍ଶନ କରି ଆସୁଛନ୍ତି।ସବୁ ଆଡ଼େ ଏବେ ଦୁଇ ଭାଇଙ୍କ ପ୍ରଶଂସା।ଆସନ୍ତା ଟୁର୍ଣ୍ଣାମେଣ୍ଟରେ ଦୁଇ ଭାଇଙ୍କ ପ୍ରଦର୍ଶନ ଦମଦାର ହେଉ ଆମେ ଏତିକି କାମନା କରୁଛୁ।