ଅନୁଗୁଳ: ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ କଠୋର ଦଣ୍ଡ। ଅନୁଗୁଳର ଏକ ଫାଷ୍ଟ ଟ୍ରାକ୍ କୋର୍ଟ ବୁଧବାର ଜଣେ ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ କରିବା ଅଭିଯୋଗରେ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।
ଘଟଣାଟି ୧୬ ଅକ୍ଟୋବର ୨୦୨୦ ମସିହାର। କଟକ ମାହାଙ୍ଗା ଅଞ୍ଚଳର ହରିଶଙ୍କର ରାଉତ (ଲିଟୁ) ଜଣେ ନାବାଳିକାକୁ ଅପହରଣ କରି ଦୁଷ୍କର୍ମ କରିଥିବା ନେଇ ଅନୁଗୁଳ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ଏହି ମାମଲାରେ ପୋକସୋ ଆକ୍ଟ ସମେତ ବିଭିନ୍ନ ସଂଗିନ ଦଫାରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଥିଲା।
ଆଡହକ୍ ଅତିରିକ୍ତ ଜିଲ୍ଲା ଓ ସେସନ୍ସ ଜଜ୍ ବିରଞ୍ଚି ନାରାୟଣ ମିଶ୍ର ୧୫ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଏହି ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତକୁ ୨୦ ବର୍ଷ କଠୋର ଜେଲ ଦଣ୍ଡ ଓ ୫୦,୦୦୦ ଟଙ୍କା ଜୋରିମାନା ନିର୍ଦ୍ଦେଶ କରିଛନ୍ତି। ଯାହା ଅନାଦେୟ ହେଲେ ଅଧିକ ୧ ବର୍ଷ ଜେଲ ଭୋଗିବାକୁ ପଡ଼ିବ। ଏଥିସହ ପୀଡ଼ିତାଙ୍କୁ ୩ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।


