ଅନୁଗୁଳ: ଭୋଜି ଭାତର ଆସର ସରିବା ପରେ ସେମିତି ଛାଡ଼ିଗଲେ ମଇଳା। ଖାଇ ପିଇ ସାରି ଯିଏ ଯାହା ବାଟରେ ପଳାଇଲେ। କିନ୍ତୁ ଅଳିଆ ଆବର୍ଜନା ଉଠାଇବାକୁ କାହାର ହାତ ଗଲାନି। ଫଳରେ ସେମିତି ପଡି ରହିଲା ଅଳିଆ ଆବର୍ଜନା। ଅନୁଗୁଳ ପୌରାଞ୍ଚର ୧୧ ନମ୍ବର ୱାର୍ଡର କଲ୍ୟାଣ ମଣ୍ଡପରେ ଏଭଳି ପୂତି ଗନ୍ଧମୟ ପରିବେଶ ଦେଖିବାକୁ ମିଳିଛି। ଏଠାରେ ବିବାହ ଭୋଜି ପରେ ଲୋକମାନେ ଅଳିଆ ଆବର୍ଜନାକୁ ଡଷ୍ଟବିନରେ ନ ଫିଙ୍ଗି ରାସ୍ତା ଉପରେ ଫିଙ୍ଗିଦେଉଛନ୍ତି। ଫଳରେ ଘୁଷୁରୀ, କୁକୁର, ବୁଲା ଗାଈଗୋରୁ ତାହାକୁ ଘାଣ୍ଟି ସାଂଘାତିକ ଅବସ୍ଥା କରିଦେଉଛନ୍ତି। ରାସ୍ତାରେ ଏମିତି ଗନ୍ଧ ଓ ଆବର୍ଜନା ପଡ଼ିଛି ଯେ ଲୋକେ ରାସ୍ତାରେ ଯିବା ଆସିବା କରିବା ବି ଅସମ୍ଭବ ହୋଇଯାଇଛି। ସ୍ଥାନୀୟ ଅଞ୍ଚଳରେ ଦୁର୍ଗନ୍ଧରେ ନାକ ଫାଟି ଯାଉଛି। ଏହି ଆବର୍ଜନାରେ ଏବେ ଧୀରେ ଧୀରେ ମଶାଙ୍କ ପ୍ରାଦୁର୍ଭାବ ବି ବଢୁଥିବା ଦେଖାଯାଇଛି। ଫଳରେ ସ୍ଥାନୀୟ ଲୋକ ଅସନ୍ତୁଷ୍ଟ ହୋଇ ଏହାର ସମାଧାନ ପାଇଁ ଦାବି କରିଛନ୍ତି। କଲ୍ୟାଣ ମଣ୍ଡପରେ ଭୋଜି କରୁଥିବା ଲୋକ ଅଳିଆ ଆବର୍ଜନାକୁ ଡଷ୍ଟବିନରେ ଫିଙ୍ଗିବାକୁ ଗୁରୁତ୍ୱ ଦେବାକୁ ପ୍ରଶାସନ ନିୟମ କରୁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
କଲ୍ୟାଣ ମଣ୍ଡପରେ ପ୍ରବଳ ଅବ୍ୟବସ୍ଥା: ଭୋଜି କରି ରାସ୍ତାରେ ଅଳିଆ ଫିଙ୍ଗୁଛନ୍ତି, ଗନ୍ଧରେ ଫାଟୁଛି ପୂରା ଅଞ୍ଚଳ
- Post published:March 28, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau


