ଅନୁଗୁଳ: ଅନୁଗୁଳ ଉପଜିଲ୍ଲାପାଳ ବଇତୁରା ଦୀପ୍ ଅନୁଗୁଳ ଠାରୁ ବଇଣ୍ଡା ପର୍ଯ୍ୟନ୍ତ ଜାତୀୟ ରାଜପଥ-୫୫ର ସମ୍ପ୍ରସାରଣ, ଓଭର ବ୍ରିଜ୍, ଫ୍ଲାଇ ଓଭର, ବନ୍ୟଜନ୍ତୁ ଯିବା ଆସିବା ପଥ ଇତ୍ୟାଦିର ଅନୁଧ୍ୟାନ କରିବା ସହ ଏହାର ଅଗ୍ରଗତି ଉପରେ ସମୀକ୍ଷା ପରେ ଏହି ରାସ୍ତା ନିର୍ମାଣ କରୁଥିବା ଏଆଇପିଏଲ୍ କମ୍ପାନୀର ଅଧିକାରୀଙ୍କୁ ତୁରନ୍ତ କାର୍ଯ୍ୟ ସମାପନ ଦିଗରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ରାସ୍ତା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ସାଆନ୍ତରାପୁର ଓ କତଡାର ୨ଟି ବିଦ୍ୟାଳୟର ସ୍ଥାନାନ୍ତରିକରଣ ଓ ସେହି ଗ୍ରାମର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ବିଦ୍ୟାଳୟ ଗୃହର ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିଥିଲେ। ଏହାକୁ ତୁରନ୍ତ ଶେଷ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି।
ଏ ଅବସରରେ କତଡା ଠାରେ ଏକ ଟ୍ରକ ଟର୍ମିନାଲ ନିର୍ମାଣ ପାଇଁ ସେ ସ୍ଥାନ ପର୍ଯ୍ୟବେକ୍ଷଣ କରିଥିଲେ। ଅନୁଗୁଳ ଠାରୁ ଆଠମଲ୍ଲିକ ରାଜପଥର ମଧ୍ୟ ପର୍ଯ୍ୟବେକ୍ଷଣ କରିଥିଲେ । ଜାତୀୟ ରାଜପଥର ଉଭୟ ପାର୍ଶ୍ବରେ ଥିବା ଗ୍ରାମବାସୀ ଓ ଲୋକପ୍ରତିନିଧିଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ ନିମନ୍ତେ ଜାତୀୟ ରାଜପଥର କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିଲେ। ଶେଷରେ ଜରପଡା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପରିଦର୍ଶନ କରି ଚଳିତ ବର୍ଷର ରାଜସ୍ୱ ସଂଗ୍ରହ ସମ୍ପର୍କରେ ସମାକ୍ଷା କରିବା ସହ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ଦିଗରେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ।
ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଆଠମଲ୍ଲିକ ଉପଜିଲ୍ଲାପାଳ ତରଣୀ ସୁନା, ବଅଁରପାଳ ତହସିଲଦାର ସଚ୍ଚିଦାନନ୍ଦ ନାୟକ, ଛେଣ୍ଡିପଦା ତହସିଲଦାର ଡାନିଏଲ ଏକ୍କା, କିଶୋରନଗର ତହସିଲଦାର ଶାନ୍ତି ସ୍ୱରୂପ ମିଶ୍ର, ଜିଲ୍ଲା କାର୍ଯ୍ୟାଳୟର ସହକାରୀ ଜିଲ୍ଲାପାଳ ସୁକାନ୍ତ କୁମାର ସାହୁ, ଏଆଇପିଏଲର ଏଜିଏମ୍ ପ୍ରମୁଖ ଯୋଗ ଦେଇଥିଲେ।