ଅନୁଗୁଳ : ରନ୍ଧନ ଗ୍ୟାସ୍ ଓ ଖାଇବା ତେଲ ସମେତ ସମସ୍ତ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ମୂଲ୍ୟବୃଦ୍ଧି ପ୍ରତିବାଦରେ ଆଜି ଏସ୍.ୟୁ.ସି.ଆଇ (କମ୍ୟୁନିଷ୍ଟ) ଅନୁଗୁଳ ଜିଲ୍ଲା କମିଟି ପକ୍ଷରୁ ଏକ ବିଶାଳ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଛି। ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଆଳ ଦେଖାଇ ସାଧାରଣ ଖାଉଟିଙ୍କ ଉପରେ ଦରବୃଦ୍ଧିର ବୋଝ ଲଦି ଦିଆଯାଉଥିବା ବେଳେ ସରକାର ଏହାକୁ ରୋକିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି। ଏହି ଅବସରରେ ଶତାଧିକ କର୍ମୀ ଗୋପବନ୍ଧୁ ପାର୍କଠାରୁ ଏକ ଶୋଭାଯାତ୍ରାରେ ବାହାରି ଅନୁଗୁଳ ବଜାର, ପୁରୁଣା ବସଷ୍ଟାଣ୍ଡ ଓ କାଞ୍ଚନ ଟକିଜ୍ ଛକ ଦେଇ ବିକ୍ଷୋଭ ସ୍ଥଳରେ ପହଞ୍ଚିଥିଲେ। ସ୍ଥାନୀୟ ତହସିଲ ଅଫିସ ପାର୍ଶ୍ଵରେ ଅନୁଷ୍ଠିତ ଏହି ସମାବେଶରେ ଜିଲ୍ଲା କମିଟି ସଭ୍ୟ ପ୍ରହଲ୍ଲାଦ ଚନ୍ଦ୍ର ସାହୁ ସଭାପତିତ୍ୱ କରିଥିବା ବେଳେ ରାଜ୍ୟ କମିଟି ସଭ୍ୟ ଜୟସେନ୍ ମେହେର ଓ ବ୍ରଜବନ୍ଧୁ ସାହୁଙ୍କ ସମେତ ବହୁ ନେତୃବୃନ୍ଦ ଯୋଗ ଦେଇ ସରକାରଙ୍କ ଜନବିରୋଧୀ ନୀତିକୁ ତୀବ୍ର ନିନ୍ଦା କରିଥିଲେ।
ଏହି ସମାବେଶରେ ମୁଖ୍ୟତଃ ୧୦ ଦଫା ସମ୍ବଳିତ ଦାବି ଉପସ୍ଥାପନ କରାଯାଇଥିଲା, ଯେଉଁଥିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଶେଷଜ୍ଞ ଡାକ୍ତର ଓ ଆନୁଷଙ୍ଗିକ ଉପକରଣ ଯୋଗାଇବା, ପରିବହନ ବିଭାଗ ପକ୍ଷରୁ ପ୍ରଦୂଷଣ ଆଳରେ ଦୁଇ ଚକିଆ ଓ ତିନି ଚକିଆ ଯାନ ଉପରେ ବଳପୂର୍ବକ ଟିକସ ଆଦାୟ ବନ୍ଦ କରିବା ଏବଂ ବିଦ୍ୟୁତ୍ ସେବା କ୍ଷେତ୍ରରେ ପ୍ରିପେଡ୍ ସ୍ମାର୍ଟ ମିଟର ଲଗାଇବା ବନ୍ଦ କରିବା ପରି ପ୍ରସଙ୍ଗ ଗୁରୁତ୍ୱ ପାଇଥିଲା। ଏଥିସହ ଶିଳ୍ପ ସମୃଦ୍ଧ ଅନୁଗୁଳ ଜିଲ୍ଲାରେ ବଢୁଥିବା ପ୍ରଦୂଷଣକୁ ବୈଜ୍ଞାନିକ ପ୍ରଣାଳୀରେ ନିୟନ୍ତ୍ରଣ କରିବା, ସ୍ଥାନୀୟ ବିସ୍ଥାପିତ ଯୁବକ-ଯୁବତୀଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ଏବଂ କୋଇଲା ପରିବହନ ପାଇଁ ସ୍ୱତନ୍ତ୍ର କରିଡର ନିର୍ମାଣ କରି ସର୍ବସାଧାରଣ ରାସ୍ତାରେ ଭାରିଯାନ ଚଳାଚଳ ବନ୍ଦ କରିବାକୁ ଦାବି କରାଯାଇଛି।
ସେହିପରି ପ୍ରସ୍ତାବିତ ସୁରେଶ୍ୱରୀ ଓ ଧଉରାଗୋଠ ଜଳସେଚନ ଯୋଜନାକୁ କାର୍ଯ୍ୟକାରୀ କରିବା ସହ ହାତୀ ଉପଦ୍ରବ ରୋକିବା ଓ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସଂଗଠନ ପକ୍ଷରୁ ସରକାରଙ୍କୁ ଚେତାବନୀ ଦିଆଯାଇଛି। ପରିଶେଷରେ ଏକ ପ୍ରତିନିଧି ମଣ୍ଡଳୀ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଥିଲେ।



