ଅନୁଗୁଳ: ଅନୁଗୁଳର ବରିଷ୍ଠ ମଞ୍ଚ ଅଭିନେତା, ନିର୍ଦ୍ଦେଶକ ସୁଧାଂଶୁ ମୋହନ ଦ୍ବିବେଦୀଙ୍କୁ ନାଟ୍ୟ ନିର୍ଦ୍ଦେଶନା କ୍ଷେତ୍ରରେ ୨୦୨୫ ବର୍ଷ ପାଇଁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ମିଳିଛି।ଏଥିପାଇଁ ଆଜି ଜିଲ୍ଲା ସଂସ୍କୃତି ବିଭାଗ ପାଠାଗାର ପରିସରରେ ଏକ ନାଗରିକ ସମ୍ବର୍ଧନା ସମାରୋହ ଆୟୋଜିତ ହୋଇଥିଲା।
ଏହି ସମାରୋହରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ସଂସ୍କୃତି ଅଧିକାରୀ ଦୁଃଶାସନ ନାୟକ ଯୋଗଦେଇ ଶ୍ରୀ ଦ୍ବିବେଦୀଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କ ବହୁମୁଖି ପ୍ରତିଭା ବିଶେଷ କରି ନାଟ୍ୟ ନିର୍ଦ୍ଦେଶନା କ୍ଷେତ୍ରରେ ତାଙ୍କ ସଫଳତା ଓ ମଞ୍ଚ ପରିକଳ୍ପନାର ଉଚ୍ଚ ପ୍ରଶଂସା କରିଥିଲେ।ସମ୍ମାନିତ ଅତିଥି ରୂପେ ନୃତ୍ୟ ନିଳୟ ସମ୍ପାଦିକା ଗୁରୁ ସ୍ୱପ୍ନାରାଣୀ ସିହ୍ନା,ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସମ୍ପାଦକ ହେମନ୍ତ ଦାଶ, କଳା ପ୍ରଶିକ୍ଷକ ରବୀନ୍ଦ୍ର ନାଥ ସାହୁ ଓ କଳା ସଂଗଠକ ଯଜ୍ଞ ରାୟ ପ୍ରମୁଖ ଯୋଗ ଦେଇ ଅନୁଗୁଳ ଜିଲ୍ଲାରେ ନାଟ୍ୟ ଆନ୍ଦୋଳନରେ ସୁଧାଂଶୁ ବାବୁଙ୍କ ଭୂମିକା, ତାଙ୍କ ଦ୍ଵାରା ପ୍ରତିଷ୍ଠିତ ନାଟ୍ୟମ୍ ସଂସ୍ଥା ଜରିଆରେ ମଞ୍ଚ ନାଟକ ର ଅଭିବୃଦ୍ଧି ଏବଂ ତାଙ୍କ ନାଟ୍ୟ ନିର୍ଦ୍ଦେଶନା ଗତ ଦକ୍ଷତା ଉପରେ ଆଲୋଚନା କରିଥିଲେ।
ସମାରୋହରେ ସିନେ ଅଭିନେତା ଅଶୋକ ଦାସ,ଅବିନାଶ ନାଥ, ଆଡଭୋକେଟ୍ ବସନ୍ତ ଦାସ,ମମତା ପ୍ରଧାନ,ପ୍ରମୋଦ ପ୍ରଧାନ,ସାମ୍ବାଦିକ ସୁଧିରେନ୍ଦ୍ର ପରିଜା,ରଞ୍ଜନ ବେହେରା,ବିଜୟ ଦାସ,ସରୋଜ ପାଣିଗ୍ରାହୀ, ନିଝାର୍ ଅଲ୍ଲୀ ଦାମାନୀ, କ୍ରୀଡା ସଂଗଠକ ବସନ୍ତ ଦାସ ଏବଂ ସମର୍ପଣ ଏକାଡେମୀ ନିର୍ଦ୍ଦେଶକ ନିରୋଦ କୁମାର ସାହୁ ପ୍ରମୁଖ ଯୋଗ ଦେଇ ନାଟ୍ୟ ନିର୍ଦ୍ଦେଶନା କ୍ଷେତ୍ରରେ ସୁଧାଂଶୁ ଦ୍ବିବେଦୀ ଙ୍କ ଦକ୍ଷତା ବର୍ଣ୍ଣନା କରିବା ସହ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
ଏଠାରେ ସୂଚନା ଯୋଗ୍ୟ ଯେ ଶ୍ରୀ ଦ୍ବିବେଦୀ ଗତ ପ୍ରାୟ ୩୫ ବର୍ଷ ଧରି ମଞ୍ଚ ନାଟକ କ୍ଷେତ୍ର ରେ ଅଭିନୟ ଓ ନିର୍ଦ୍ଦେଶନା ଦେଇ ଆସିଛନ୍ତି।ପ୍ରାୟ ଏକ ଶହରୁ ଉର୍ଦ୍ଧ୍ବ ନାଟକ ରେ ସେ ନିର୍ଦ୍ଦେଶନା ଦେଇଛନ୍ତି। ନାଟ୍ୟମ୍ ନାଟ୍ୟ ସଂସ୍ଥା ମାଧ୍ୟମରେ ବହୁ ଉଚ୍ଚକୋଟୀର ନାଟକ ମାଧ୍ୟମରେ ରାଜ୍ୟ ର ବିଭିନ୍ନ ଯାଗାରେ ମଞ୍ଚସ୍ଥ କରି ଅନେକ ପ୍ରଶଂସା ସାଉଁଟିଛନ୍ତି।


