ଅନୁଗୁଳରେ ‘ସୁପୋଷିତ ଲକ୍ଷ୍ୟ’ ଜିଲ୍ଲାସ୍ତରୀୟ କର୍ମଶାଳା: କୁପୋଷଣ ମୁକ୍ତ ଜିଲ୍ଲା ଗଠନ ପାଇଁ ଶପଥ

You are currently viewing ଅନୁଗୁଳରେ ‘ସୁପୋଷିତ ଲକ୍ଷ୍ୟ’ ଜିଲ୍ଲାସ୍ତରୀୟ କର୍ମଶାଳା: କୁପୋଷଣ ମୁକ୍ତ ଜିଲ୍ଲା ଗଠନ ପାଇଁ ଶପଥ

ଅନୁଗୁଳ: ଅନୁଗୁଳ ଜିଲ୍ଲାକୁ ଏକ ସୁପୋଷିତ ଏବଂ କୁପୋଷଣ ମୁକ୍ତ ଜିଲ୍ଲାରେ ପରିଣତ କରିବା ଲକ୍ଷ୍ୟରେ ଆଜି ଜିଲ୍ଲା ପ୍ରଶାସନ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର ମିଳିତ ଆନୁକୂଲ୍ୟରେ ଏକ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଛି। “ସୁପୋଷିତ ଲକ୍ଷ୍ୟ” ଶୀର୍ଷକ ଏହି କାର୍ଯ୍ୟକ୍ରମ ଜିଲ୍ଲା ପରିଷଦ ସଭାଗୃହଠାରେ ପୂର୍ବାହ୍ନରେ ଆୟୋଜିତ ହୋଇଥିଲା। ଜିଲ୍ଲାରେ ମାତୃ ଓ ଶିଶୁ ପୋଷଣ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହିତ କୁପୋଷଣ ହ୍ରାସ ପାଇଁ ସମନ୍ୱିତ ପଦକ୍ଷେପ ନେବା ଥିଲା ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ।
​ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ଏବଂ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ନିରୁପମା ପାଣି ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ସମନ୍ୱିତ ଶିଶୁ ବିକାଶ ସେବା (ICDS) ର ସୁପରଭାଇଜର ଏବଂ ଜିଲ୍ଲା ସମାଜ କଲ୍ୟାଣ ବିଭାଗର ଅନ୍ୟାନ୍ୟ ପଦାଧିକାରୀମାନେ ଏଥିରେ ଉପସ୍ଥିତ ଥିଲେ। ରାଜ୍ୟ ସ୍ତରରୁ ଆସିଥିବା ପ୍ରଶିକ୍ଷକ ଇଶିକା ଦାଗ ଶିଶୁ ଓ ଗର୍ଭବତୀ ମାଆଙ୍କ ସୁସ୍ଥ ପୋଷଣ, ସ୍ୱାସ୍ଥ୍ୟ ସଚେତନତା ଏବଂ ସମୁଦାୟ ଭିତ୍ତିକ ପଦକ୍ଷେପ ନେବା ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ।
​କର୍ମଶାଳାରେ ବିଭିନ୍ନ ପୋଷଣ କାର୍ଯ୍ୟକ୍ରମର ସଫଳ ରୂପାୟନ, କାର୍ଯ୍ୟାନ୍ୱୟନ କ୍ଷେତ୍ରରେ ଦେଖାଦେଉଥିବା ବାଧା ଏବଂ ତା’ର ସମାଧାନ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଶେଷରେ ଅନୁଗୁଳ ଜିଲ୍ଲାକୁ ଏକ “ସୁପୋଷିତ ଜିଲ୍ଲା” ଭାବେ ଗଢି ତୋଳିବା ପାଇଁ ସମସ୍ତ ଅଂଶଗ୍ରହଣକାରୀଙ୍କ ଦ୍ୱାରା ଶପଥ ପାଠ କରାଯାଇଥିଲା।

Share

Leave a Reply