ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ କଲୋନୀ ପରିସର ତୃତୀୟ ମହଲା କ୍ୱାଟର ନମ୍ବର ବି୨୦୦୧ ରେ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ଘଟିଛି। ମୃତ ମହିଳା ଜଣକ ହେଉଛନ୍ତି କାର୍ତ୍ତିକେଶ୍ୱର ପ୍ରଧାନଙ୍କ ପତ୍ନୀ ମଧୁସ୍ମିତା ପ୍ରଧାନ (୩୫)।
ସୂଚନା ଅନୁସାରେ, କାର୍ତ୍ତିକେଶ୍ୱର ଦିନ ୧:୪୦ ମିନିଟରେ ଝିଅକୁ ସ୍କୁଲରୁ ଆଣି ଫେରୁଥିବା ସମୟରେ ଘରର ସାମ୍ନା ଦୁଆର ବନ୍ଦ ଥିବାରୁ ପଛପଟେ ଯାଇ ଦେଖନ୍ତି ମଧୁସ୍ମିତା ତଳେ ପଡ଼ିଛନ୍ତି। ସେ ତୁରନ୍ତ ମଧୁସ୍ମିତାଙ୍କୁ ନାଲକୋ ମେଡିକାଲକୁ ନେଇଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ସ୍ଥଳରେ ଏସ୍ଡିପିଓ, ନାଲକୋ ପୋଲିସ ଏବଂ ନାଲକୋ ଘରୋଇ ସୁରକ୍ଷା କର୍ମୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ। ପୋଲିସ ଘଟଣାର ସବୁ ଦିଗ ତଦନ୍ତ କରୁଛି।


