ଅନୁଗୁଳରେ ସ୍ଵତନ୍ତ୍ର ସାରସ୍ଵତ ସମାବେଶ

0

ଅନୁଗୁଳ: ରବିବାର ସ୍ଥାନୀୟ ଏକ ହୋଟେଲ ସଭାଗୃହରେ ସ୍ଵତନ୍ତ୍ର ସାରସ୍ଵତ ସମାବେଶ ଅନୁଷ୍ଠିତ ହୋଇଥିଲା।ଗୁଞ୍ଜନ ଡ୍ୟାନସ ଏକାଡେମୀର ସଭାନେତ୍ରୀ ତଥା ବିଶିଷ୍ଟ ସମାଜସେବୀ ଗାୟତ୍ରୀ ଦାସ ଏହି ସମାରୋହକୁ ପ୍ରଦୀପ ଜାଳି ଉଦଘାଟନ କରିଥିଲେ। ଶ୍ରୀମତୀ ଦାସ ନିଜ ବକ୍ତବ୍ୟରେ ଗାନ୍ଧୀ ଜୀବନ ଦର୍ଶନ ଏବଂ ପ୍ରତିଟି ସଫଳ ମଣିଷ ପଛରେ ଗୋଟିଏ ନାରୀର କିଭଳି ଗୁରୁ ଭୂମିକା ରହିଥାଏ କସ୍ତୁରବାଙ୍କ ଉଦାହରଣ ଦେଇ ତାହା ବର୍ଣ୍ଣନା କରିଥିଲେ।

ସମାରୋହର ମୁଖ୍ୟ ଅତିଥି ପ୍ରଖ୍ୟାତ କଥାକାର ସରୋଜିନୀ ସାହୁ ତାଙ୍କ ଜୀବନକୁ ସାହିତ୍ୟ କିଭଳି ଅନୁପ୍ରେରିତ କରିଚି ତାହା ଉଲ୍ଲେଖ କରିଥିଲେ। ନାରୀ ଜୀବନରେ ଦେଖା ଦେଉଥିବା କ୍ଲିଷ୍ଟତା,ଯନ୍ତ୍ରଣା,ବୈଧବ୍ୟ,
ଧର୍ଷଣ ଏବଂ ନାରୀ ଜୀବନର ଅକୁହା କଥାକୁ ନିଜ ଜୀବନରେ ହୃଦବୋଧ କରିବା ସହ ତାହା ତାଙ୍କୁ ନାରୀବାଦି ଲେଖିକା ହେବାରେ କିଭଳି ବାଟ କଢ଼େଇ ନେଇଥିଲା ତାର ଅବତାରଣା କରିଥିଲେ। ତାଙ୍କ ମତରେ ନଈ ଚାଲିଗଲେ ନକ୍ସା ଛାଡ଼ି ଯାଏ,ଏକ ନିର୍ଦ୍ଦିଷ୍ଟ ନକ୍ସା ଦେଇ ନଈ ପ୍ରବାହିତ ହୁଏ ନାହିଁ।

ସମ୍ମାନିତ ଅତିଥି ରୂପେ ଇଂରାଜୀ ପ୍ରଫେସର ଅସୀମ ରଞ୍ଜନ ପାଢ଼ୀ,ସୁଜିତ୍ ପୃଷେଠ, ବିଶିଷ୍ଟ ଅନୁବାଦକ ଦିନେଶ ମାଲି ଏବଂ ଗୋଲାପ ମଞ୍ଜରୀ କର ଓଡ଼ିଆ ସାହିତ୍ୟରେ କବି ଗଙ୍ଗାଧର,ଭୀମ ଭୋଇଙ୍କ କୃତି ଏବଂ ଗାନ୍ଧୀ ଦର୍ଶନର ସାମାଜିକ ପ୍ରଭାବ ଉପରେ ଆଲୋକପାତ କରିଥିଲେ। ସମାରୋହରେ ଦିନେଶ ମାଲିଙ୍କ ଏକାଧିକ ପୁସ୍ତକ,ଅସୀମ ପାଢ଼ୀ ଙ୍କ ପିତା ଓ ପୁତ୍ର,ହୃଦାନନ୍ଦ ବେହେରା ଓ ବିନୋଦ ଖିଲାର ଙ୍କ ରାମାୟଣ କଥା, ଭରତ ଗଡ଼ନାୟକଙ୍କ ସାଉଁଟା ସ୍ବପ୍ନ,ପ୍ରସନ୍ନ ବରାଳଙ୍କ ହୃଦୟର ମଣିଷ,ଡ଼ା ଏସ.ଚୌଧୁରୀଙ୍କ ଗଳ୍ପ ସଙ୍କଳନ ଏବଂ ଆମ କୁନାକୁନି ଶିଶୁ ପତ୍ରିକା ଆଦି ଉନ୍ମୋଚିତ ହୋଇଥିଲା। ଅନୁଗୁଳ ସ୍ଵୟଂ ଶାସିତ ମହାବିଦ୍ୟାଳୟ ପ୍ରାକ୍ତନ ଅଧ୍ୟକ୍ଷ ଶାନ୍ତନୁ କୁମାର୍ ସର ଅତିଥି ପରିଚୟ ଦେଇଥିବା ସମ୍ବାଦର ଡେସ୍କ ଇନ୍ ଚାର୍ଜ ପ୍ରଦ୍ୟୁମ୍ନ ରାଉତ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ।

ବରିଷ୍ଠ ସାମ୍ବାଦିକ ପତିତପାବନ ସାହୁ, ଅରୁଣ ସାହୁ, ଲାୟନ୍ ବଜରଙ୍ଗଲାଲ ଅଗ୍ରୱାଲ ସମାରୋହ ପରିଚାଳନା ରେ ସହାୟତା କରିଥିବାବେଳେ ସନତ ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ। ଶେଷରେ କବୟିତ୍ରୀ ଇନ୍ଦିରା ଦାସ ଏବଂ ବୈରାଗୀ ମଲ୍ଲିକଙ୍କ ପୌରହିତ୍ୟରେ କବିତା ପାଠ ଉତ୍ସବ ଆୟୋଜିତ ହୋଇଥିଲା।

Leave A Reply

Your email address will not be published.

error: Content is protected !!