ଭୁବନେଶ୍ୱର: ରାଜ୍ୟରେ ବିଦ୍ୟୁତ୍ ବିତରଣ ଦାୟିତ୍ବ ନେଇଛି ଟାଟା ପାୱାର। ଏଥିରେ ସ୍ଥାୟୀ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରୁ ପାଖାପାଖି ଦେଢ଼ ହଜାର ଅଣଓଡ଼ିଆ କାମ କରୁଛନ୍ତି। ସ୍ଥାୟୀ କର୍ମଚାରୀଙ୍କ ମଧ୍ୟରୁ ୧୩୬୯ ଜଣ ଓ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ୭୦ରୁ ଅଧିକ ଅଣଓଡ଼ିଆ ରହିଛନ୍ତି।
ଚଳିତ ବର୍ଷ ମାର୍ଚ୍ଚ ଶେଷସୁଦ୍ଧା କମ୍ପାନୀର ଚାରିଟି ଡିଭିଜନରେ ମୋଟ୍ ୫୦୦୫ ଜଣ ସ୍ଥାୟୀ କର୍ମଚାରୀ ରହିଥିବା ବେଳେ ଓଡ଼ିଆଙ୍କ ସଂଖ୍ୟା ଥିଲା ୩୬୩୬। ୧୩୬୯ ଜଣ ଅଣଓଡିଆ କର୍ମଚାରୀଙ୍କ ମଧ୍ୟରେ ଟିପିଏନଓଡିଏଲ୍ରେ ସର୍ବାଧିକ ୩୯୯ ଜଣ ଅଣଓଡ଼ିଆ ଥିବାବେଳେ ଟିପିଏସଓଡିଏଲରେ ୩୭୨, ଟିପିଡବ୍ଲ୍ୟୁଓଡିଏଲ୍ରେ ୩୧୭ ଏବଂ ଟିପିସିଓଡିଏଲରେ ୨୮୧ଜଣ ଅଣଓଡିଆ ଅଛନ୍ତି। ଏହି ଚାରିଟି ସଂସ୍ଥା ମଧ୍ୟରୁ ସବୁଠାରୁ ଅଧିକ ୧୫୭୧ ଜଣ ସ୍ଥାୟୀ କର୍ମଚାରୀ ଟିପିଡବ୍ଲ୍ୟୁଓଡିଏଲ୍ ରେ ଥିବାବେଳେ ସବୁଠାରୁ କମ୍ ୯୩୭ ଜଣ କର୍ମଚାରୀ ଟିପିସିଓଡିଏଲରେ ରହିଛନ୍ତି ।
ସେହିଭଳି ଟାଟା ପାୱାରର ବିତରଣ ଦାୟିତ୍ୱରେ ଥିବା ଚାରଟିଯାକ ସଂସ୍ଥାରେ ସିଇଓ, ମୁଖ୍ୟ, ବିଭାଗୀୟ ମୁଖ୍ୟ ପଦବୀରେ ୧୭୬ ଜଣ ଥିବାବେଳେ ଏମାନଙ୍କ ମଧ୍ୟରେ ଅଣଓଡିଆ ଅଧିକାରୀଙ୍କ ସଂଖ୍ୟା ହେଉଛି ୭୭ । ଏମାନଙ୍କ ମଧ୍ୟରୁ ସର୍ବାଧିକ ୨୪ଜଣ ଅଣଓଡିଆ ଟିପିଡବ୍ଲ୍ୟୁଓଡିଏଲରେ ରହିଥିବାବେଳେ ଟିପିଏସଓଡିଏଲ୍ ଓ ଟିପିସିଓଡିଏଲରେ ୨୩ଜଣ କରି ରହିଛନ୍ତି। ସବୁଠାରୁ କମ୍ ମାତ୍ର ୭ଜଣ ଅଣଓଡିଆ ଅଧିକାରୀ ଟିପିଏନଓଡିଏଲ୍ରେ କାର୍ଯ୍ୟରତ ଅଛନ୍ତି। ତେବେ ସର୍ବାଧିକ ୬୬ଜଣ ଅଧିକାରୀ ଟିପିସିଓଡିଏଲରେ କାର୍ଯ୍ୟରତ ଥିବାବେଳେ ଟିପିଏସ୍ଓଡିଏଲରେ ୪୮ଜଣ କାର୍ଯ୍ୟରତ ଅଛନ୍ତି ।
ସ୍ଥାୟୀ କର୍ମଚାରୀମାନଙ୍କୁ ବାଦ୍ ଦେଲେ କାମ ଚଳାଇବାପାଇଁ ଟାଟା ପାୱାରର ବିତରଣକାରୀସଂସ୍ଥାମାନେ ଠିକା କର୍ମଚାରୀଙ୍କ ମଧ୍ୟ ସହଯୋଗ ଲୋଡୁଛନ୍ତି । ଏହି ଠିକା କର୍ମଚାରୀଙ୍କ ମଧ୍ୟରେ ଓଡିଆଙ୍କ ସଂଖ୍ୟା ଅଧିକ ରହିଥିଲେ ମଧ୍ୟ କିଛି ଅଣଓଡିଆ ମଧ୍ୟ କାମ କରୁଥିବା ଦେଖିବାକୁ ମିଳୁଛି।
ତେବେ ଓଡିଶାରେ କାର୍ଯ୍ୟରତ ଶିଳ୍ପ ଓ ଅନ୍ୟ ସଂସ୍ଥାରେ ଓଡିଆମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଦେବା ନେଇ ଦାବି ହେଉଛି। କିନ୍ତୁ କମ୍ପାନୀ ଏତେ ସଂଖ୍ୟାରେ ଅଣଓଡିଆଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ଆଶ୍ଚର୍ଯ୍ୟ କରୁଛି।