ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଜଣେ ୪ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ଭଳି ଅତି ସମ୍ବେଦନଶୀଳ ଘଟଣାରେ ଐତିହାସିକ ରାୟ ପ୍ରକାଶ ପାଇଛି। ଅନୁଗୁଳ ଅତିରିକ୍ତ ଜିଲ୍ଲା ଜଜ୍ ତଥା ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଅଭିଯୁକ୍ତ ବାବୁଲା ଜେନାକୁ ଦୋଷୀ ସାବ୍ୟସ୍ତ କରି ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି। ମାତ୍ର ଏକ ବର୍ଷ ମଧ୍ୟରେ ବିଚାର ପ୍ରକ୍ରିୟା ଶେଷ ହୋଇ ନ୍ୟାୟ ମିଳିବା ପୋଲିସର ଦକ୍ଷତାକୁ ପ୍ରମାଣିତ କରିଛି।
ଘଟଣା ଅନୁଯାୟୀ, ଗତ ୨୦୨୫ ମାର୍ଚ୍ଚ ୧୩ରେ ଇଣ୍ଡଷ୍ଟ୍ରିଆଲ ଥାନା ଅଞ୍ଚଳରୁ ଜଣେ ଶିଶୁକନ୍ୟା ନିଖୋଜ ହୋଇଥିଲେ। ମାର୍ଚ୍ଚ ୧୫ରେ ଏକ ମହୁଲ ଗଛ ମୂଳରୁ ତାଙ୍କ ମୃତଦେହ ମିଳିବା ପରେ, ଶବ ବ୍ୟବଚ୍ଛେଦରୁ ଦୁଷ୍କର୍ମ ଓ ଗଳା ଚିପି ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଥିଲା। ଅନୁଗୁଳ ଏସପି ରାହୁଲ ଜୈନଙ୍କ ନିର୍ଦ୍ଦେଶରେ ଗଠିତ ସ୍ୱତନ୍ତ୍ର ଟିମ୍ ତୁରନ୍ତ ଅଭିଯୁକ୍ତ ବାବୁଲାକୁ ଗିରଫ କରିଥିଲା।
ନୂତନ ଭାରତୀୟ ନ୍ୟାୟ ସଂହିତା ଓ ପୋକ୍ସୋ ଆକ୍ଟର ବିଭିନ୍ନ ଧାରା (୧୦୩(୧), ୬୫(୨) ଓ ଧାରା ୬) ଅନୁଯାୟୀ ପୋଲିସ ଦୃଢ଼ ବୈଜ୍ଞାନିକ ପ୍ରମାଣ, ଡିଏନଏ ପରୀକ୍ଷା ଓ ଠିକ୍ ସମୟରେ ଚାର୍ଜସିଟ୍ ଦାଖଲ କରିଥିଲା। ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ଏହି ସଫଳତା ପାଇଁ ଅନୁଗୁଳ ଏସପି ଓ ତଦନ୍ତକାରୀ ଅଧିକାରୀଙ୍କୁ ସାଧୁବାଦ ଜଣାଯାଇଛି।











