ହତ୍ୟା ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

You are currently viewing ହତ୍ୟା ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଓ ଦୌରାଜଜ ଡଃ ଭାଗ୍ୟଲକ୍ଷ୍ମୀ ରଥ ବୁଧବାର ଜଣେ ହତ୍ୟା ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ସୂଚନା ଯେ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ନାଉପଦା ଗାଁର ଜଗତ ବେହେରାଙ୍କୁ ସେହି ଗାଁର ନେଣ୍ଟୁ ବେହେରା ୨୦୧୬ ଜାନୁଆରୀ ୧୬ ତାରିଖ ସନ୍ଧ୍ୟା ୭ଟାରେ ହାଣି ଦେଇଥିଲେ। ଗୁରୁତର ଅବସ୍ଥାରେ ଜଗତଙ୍କୁ ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅନୁଗୁଳ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଅବସ୍ଥା ଜଟିଳ ହେବାରୁ କଟକ ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଜଗତଙ୍କ ମୃତ୍ୟୁ ହୋଇଥିଲା। ଏ ନେଇ ଜଗତଙ୍କ ଭାଇ ପବିତ୍ର ବେହେରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୁଲିସ ଥାନା କେସ ନଂ ୭/୨୦୧୭ରେ ଏକ ମାମଲା ରୁଜୁକରି ନେଣ୍ଟୁଙ୍କୁ ଗିରଫକରି ଘଟଣାର ତଦନ୍ତ କରିଥିଲା। ପୂର୍ବ ଶତ୍ରୁତାରୁ ନେଣ୍ଟୁ ଏହି କାଣ୍ଡ ଭିଆଇଥିବା ପୁଲିସ ଆଗରେ ପ୍ରକାଶ କରିଥିଲେ।
ଏହି ମାମଲାରେ ଅନୁଗୁଳ ଜିଲ୍ଲା ଓ ଦୌରାଜଜ ଡଃ ଭାଗ୍ୟଲକ୍ଷ୍ମୀ ରଥ ୧୭ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ କରି ଅନ୍ୟ ଆନୁସଙ୍ଗିକ ଦସ୍ତାବିଜକୁ ଯାଞ୍ଚକରି ନେଣ୍ଟୁଙ୍କୁ ଦୋଶୀ ସାବ୍ୟସ୍ତ କରିଥିଲେ। ବୁଧବାର ନେଣ୍ଟୁଙ୍କୁ ଆଜୀବନ କାରାଦଣ୍ଡ ସହ ୩୦ ହଜାର ଟଙ୍କା ଜୋରିମାନା ଓ ଜୋରିମାନା ଅନାଦେୟ ହେଲେ ଅତିରିକ୍ତ ୧ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଆଦେଶ ଦେଇଛନ୍ତି ଅନୁଗୁଳ ଜିଲ୍ଲା ଓ ଦୌରା ଜଜ୍ ଡଃ ରଥ। ଏହି ମାମଲାକୁ ସରକାରୀ ଓକିଲ ପ୍ରଦୀପ କୁମାର ଦାଶ ପରିଚାଳନା କରିଥିଲାବେଳେ ପ୍ରଦୀପ କୁମାର ଭୂତିଆ ସହଯୋଗ କରିଥିଲେ।

Share

Leave a Reply