ଅନୁଗୁଳ: ମହିଳାଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅନ୍ତର୍ଗତ ଆଜୀବିକା ଗ୍ରାମୀଣ ଏକ୍ସପ୍ରେସ ଯୋଜନାରେ ମା ମହାମୟୀ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ସସ୍ମିତା ପ୍ରଧାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଏକ ଅଟୋରିକ୍ସା ଯୋଗାଇ ଦିଆଯାଇଛି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ସାହୁ, ଅନୁଗୁଳ ବ୍ଲକ୍ ଅଧ୍ୟକ୍ଷ ନିରଞ୍ଜନ ଦେହୁରୀ ଏବଂ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ୱରଞ୍ଜନ ରଥ ଏହି ଡିଜେଲ ଚାଳିତ ଅଟୋରିକ୍ସା ଚାବି ଶ୍ରୀମତୀ ପ୍ରଧାନଙ୍କୁ ହସ୍ତାନ୍ତର କରିଥିଲେ । ଅନୁଗୁଳ ବ୍ଲକ୍ ମାଣିକଯୋଡ଼ି ପଞ୍ଚାୟତ ଅନ୍ତର୍ଗତ ଉପାନ୍ତ କୁଲୁସର ଗ୍ରାମର ଏକ ଗରିବ ପରିବାରରୁ ଆସିଥିବା ଶ୍ରୀମତୀ ପ୍ରଧାନଙ୍କୁ ଦିଆଯାଇଥିବା ଅଟୋର ଦାମ୍ ୩ ଲକ୍ଷ ୪୩ ହଜାର ଟଙ୍କା । ମାଣିକଯୋଡ଼ି ପଞ୍ଚାୟତରୁ ୨ଲକ୍ଷ ୯୦ ହଜାର ଟଙ୍କାର ଅନୁଦାନ ପ୍ରଦାନ କରାଯାଇଥିବା ବେଳେ ୪୭ ହଜାର ଟଙ୍କା ହିତାଧିକାରୀ ନିଜେ ବହନ କରିବେ । ଏହି ଅଟୋ ମାଣିକଯୋଡ଼ିଠାରୁ ଅନୁଗୁଳ ମଧ୍ୟରେ ନିୟମିତ ଯାତ୍ରୀ ପରିବହନ କରିବ । ଅଟୋ ଚଳାଇ ଦୈନିକ ୭୫୦ ଟଙ୍କା ରୋଜଗାର କରିପାରିବେ ବୋଲି ଆଶାବ୍ୟକ୍ତ କରିବା ସହ ଭବିଷ୍ୟତରେ ଉପାନ୍ତ ତଥା ଦୁର୍ଗମ ଗ୍ରାମ ଗୁଡ଼ିକରେ ତାଙ୍କର ଅଟୋ ସେବା ଯୋଗାଇ ଦେବାର ଯୋଜନା ଥିବା ଶ୍ରୀମତୀ ପ୍ରଧାନ ପ୍ରକାଶ କରିଛନ୍ତି ।
ସ୍ବାବଲମ୍ବୀ କରାଇବାକୁ ପ୍ରଶାସନର ପ୍ରୟାସ
- Post published:March 3, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
