ଅନୁଗୁଳ : ବିବାହ ପୂର୍ବରୁ ଯାହା ନାଁରେ କେସ୍ କରିଥିଲେ, ସମୟକ୍ରମେ ତାଙ୍କର ହିଁ ହାତ ଧରିଲେ। କିନ୍ତୁ ଅପରାଧର ଦଣ୍ଡାଦେଶ ପରେ ଏବେ ଜେଲ ଯାଇଛନ୍ତି ସ୍ୱାମୀ। ବିବାହ ପୂର୍ବରୁ ଯାହାକୁ ଦଣ୍ଡ ମିଳୁ ବୋଲି ଠାକୁରଙ୍କୁ ଡାକୁଥିଲେ ଏବେ ତାଙ୍କୁ ଛାଡ଼ିଦେବାକୁ ନେହୁରା ହେଉଛନ୍ତି ମହିଳା। କିନ୍ତୁ ଆଇନ ଏସବୁକୁ ଗୁରୁତ୍ୱ ନ ଦେଇ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅନୁଗୁଳ କୋର୍ଟରେ ସୋମବାର ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ଏଠାରେ ନାବାଳିକା ଦୁଷ୍କର୍ମ ମାମଲାର ଶୁଣାଣି କରି ଜିଲ୍ଲା ସ୍ବତନ୍ତ୍ର ଫାଷ୍ଟ ଟ୍ରାକ୍ କୋର୍ଟ ଅଭିଯୁକ୍ତକୁ ଜେଲ ଓ ଜରିମାନା ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ମୁତାବକ, ବାପ- ମା’ ଛେଉଣ୍ଡ ଜଣେ ନାବାଳିକାଙ୍କୁ ବଅଁରପାଳ ଗାଁର ଗୋବର୍ଦ୍ଧନ ନାଏକ କିଛି ବର୍ଷ ତଳେ ଦୁଷ୍କର୍ମ କରିଥିଲେ। ନାବାଳିକା ଏ ନେଇ ବାହାରେ କହିଦେବେ ବୋଲି କହିବାରୁ ଗୋବର୍ଦ୍ଧନ ତାଙ୍କୁ ବିବାହ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ କିଛି ବର୍ଷ ପରେ ଗୋବର୍ଦ୍ଧନ ବାହା ହେବାକୁ ମନା କରିବାରୁ ନାବାଳିକାର ମାମୁ ୨୦୨୧ ଜାନୁଆରୀ ୧ ରେ ବଅଁରପାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ କେସ୍ ନମ୍ବର ୩/୨୧ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଗୋବର୍ଦ୍ଧନଙ୍କ ବିରୋଧରେ ଆଇପିସିର ଧାରା ୩୭୬(୨)(ଏନ୍), ୪୧୭ ଓ ପୋକ୍ସୋ ଆଇନର ଧାରା ୬ ଲଗାଇ ଗିରଫ କରି କୋର୍ଟ ଚାଲାଣ କରିଥିଲା। ୨୦୨୧ ଅଗଷ୍ଟରେ ଗୋବର୍ଦ୍ଧନ ଜାମିନ୍ ପାଇ ଜେଲ୍ରୁ ବାହାରିଥିଲେ। ଇତି ମଧ୍ୟରେ ତାଙ୍କ ମନ ପରିବର୍ତ୍ତନ ହୋଇଥିଲା। ନିଜ ଭୁଲ ପାଇଁ ସେ ପଶ୍ଚାତାପ କରିବା ସହ ପୀଡ଼ିତାଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ପୀଡିତା ମଧ୍ୟ ଭବିଷ୍ୟତକୁ ଦୃଷ୍ଟିରେ ରଖି ବାହା ହେବାକୁ ରାଜି ହୋଇଥିଲେ।
ଉଭୟେ ମନ୍ଦିରରେ ଓ ରେଜିଷ୍ଟ୍ରି ମ୍ୟାରେଜ କରିଥିଲେ। କିନ୍ତୁ ସେମାନଙ୍କ ଭାଗ୍ୟରେ ବୋଧେ ବେଶୀ ଦିନ ଖୁସି ନଥିଲା। ସୋମବାର ପୁରୁଣା ଦୁଷ୍କର୍ମ ମାମଲାର ଶୁଣାଣି ପରେ ଗୋବର୍ଦ୍ଧନ ଜେଲ ଯାଇଛନ୍ତି। ଆଉ ଭାଗ୍ୟକୁ ନିନ୍ଦା କରି ସ୍ତ୍ରୀ ଏକୁଟିଆ ଘରକୁ ଫେରିଛନ୍ତି। ଏହି ମାମଲାରେ ଅଭିଯୁକ୍ତଙ୍କ ଓକିଲ ହାଇକୋର୍ଟରେ ଆବେଦନ କରିବେ ବୋଲି କହିଛନ୍ତି।