ଯୋରନ୍ଦାର ମହିମା ଗାଦିରେ ରାଜ୍ୟ ସରକାରଙ୍କ ବିକାଶ କାର୍ଯ୍ୟ ଏକ ପ୍ରହସନ : ପୂର୍ବତନ ସାଂସଦ ରୁଦ୍ର ପାଣି

You are currently viewing ଯୋରନ୍ଦାର ମହିମା ଗାଦିରେ ରାଜ୍ୟ ସରକାରଙ୍କ ବିକାଶ କାର୍ଯ୍ୟ ଏକ ପ୍ରହସନ : ପୂର୍ବତନ ସାଂସଦ ରୁଦ୍ର ପାଣି

ଢେଙ୍କାନାଳ: ଯୋରନ୍ଦାର ମହିମା ଗାଦିରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିକାଶ କାର୍ଯ୍ୟ ଆରମ୍ଭ ହେବ ପରେ ଏନେଇ ଟିପ୍ପଣୀ ଦେଇଛନ୍ତି ଢେଙ୍କାନାଳର ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣି। ସେ କହିଛନ୍ତି, ଦୀର୍ଘ ୨୩ ବର୍ଷ ସରକାରରେ ଦାୟିତ୍ୱରେ ରହିବା ପରେ ନିର୍ବାଚନ ପାଖେଇ ଆସିବା ସମୟରେ ମହିମା ଗାଦିର ବିକାଶ କରିବା କଥା ମନେ ପଡିବା ଦୁଃଖର ବିଷୟ। ବିଜେଡିର ପ୍ରଶ୍ନ ‘ଚାଲୁଣି କହୁଛି, ଛୁଞ୍ଚିକୁ’ ଭଳି ଲାଗୁଛି।

ଶ୍ରୀ ପାଣି କହିଛନ୍ତି ଯେ ମହିମା ଗାଦିର ବିକାଶ ୨୩ ବର୍ଷ ସରକାରରେ ଯେ କରିପାରିଲେ ନାହିଁ, ସେ ଆଜି ମିଛ ଗପ ଗପୁଛନ୍ତି। ମହିମା ଧର୍ମକୁ ଯଦି ମୁଖ୍ୟମନ୍ତ୍ରୀ ଏତେ ଭଲ ପାଉଥିଲେ, ତାହା ୨୩ ବର୍ଷ ହେବ କାହିଁକି ଗାଦିକୁ ଆସି ନଥିଲେ ? ଏବେ ନିର୍ବାଚନ ଆସିବାରୁ ମୁଖ୍ୟମନ୍ତ୍ରୀଙ୍କର ମାନସ ପୁତ୍ର ଯୋରନ୍ଦାକୁ ଆସି କେବଳ ଲୋକଙ୍କୁ ଦିବାଲୋକରେ ଲଣ୍ଠନ ଦେଖାଇବା ଭଳି କଥା କହୁଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚେଷ୍ଟାରେ ମହିମା ଗାଦିର ପୂର୍ଣ୍ଣାଙ୍ଗ ବିକାଶ ଦିଗରେ ଗାଦିର ମଠ ଗୁଡ଼ିକରେ ଓ ଆଖ ପାଖ ଗାଁରେ ସବୁଦିନିଆ ପାନୀୟ ଜଳ ଯୋଗାଣ ପାଇଁ ୧୫.୭ କୋଟିର ବ୍ୟବସ୍ଥା କରାଯାଇଥିଲା। ମାଘ ମେଳା ସମୟରେ ଭକ୍ତ ଓ ଯାତ୍ରୀଙ୍କ ସୁବିଧା ଆଦିର ବ୍ୟବସ୍ଥା ମଧ୍ୟ କରାଯାଉଥିଲା। ମାତ୍ର ଏହି ପ୍ରକଳ୍ପକୁ ବିଳମ୍ବ କରିବାରେ କିଏ ଷଡଯନ୍ତ୍ର କରିଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି।

ସେ ଆହୁରି କହିଛନ୍ତି, ଚଳିତ ବର୍ଷ ଯୋରନ୍ଦାରେ ମାଘ ମେଳାର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଭବ୍ୟ ଆୟୋଜନର ମଧ୍ୟ ଯୋଜନା ଥିଲା, କିନ୍ତୁ ଓଡ଼ିଶା ସରକାରଙ୍କ ଅମାନବୀୟ ଓ ବେପରୁଆ ଉଚ୍ଛେଦ ଯୋଗୁ ମହିମା ଗାଦିରେ ଦଶନ୍ଧି ପୁରୁଣା ମଠ ମନ୍ଦିର ଆଜି ଧୂଳିସାତ୍ ହୋଇଥିଲା। ସରକାର ଡାହାଣୀ ହେଇ ଲାଗୁଛନ୍ତି ଆଉ ଗୁଣିଆ ହେଇ ଝାଡୁଛନ୍ତି । ସାଧୁ ସନ୍ଥ ମାନଙ୍କ ଆଗରେ ଏହି ପ୍ରହସନ ନିହାତି ଲଜ୍ଜାଜନକ ବୋଲି ପୂର୍ବତନ ସାଂସଦ ଶ୍ରୀ ପାଣି କହିଛନ୍ତି।

Share

Leave a Reply