ଅନୁଗୁଳ: ଆସନ୍ତା ଗାନ୍ଧୀ ଜୟନ୍ତୀ ଠାରୁ ଉତ୍କଳ ଗାନ୍ଧୀ ସ୍ମାରକ ନିଧି ପକ୍ଷରୁ ଗାନ୍ଧୀ ଭବନ ପ୍ରସ୍ତାବିତ ସ୍ଥାନରେ ସତ୍ୟାଗ୍ରହ ଆନ୍ଦୋଳନ ଆରମ୍ଭ ହେବ। ରାଜ୍ୟ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ ଏକ ସମୀକ୍ଷା ବୈଠକରେ ଅନୁଗୁଳ ଆସିଥିବାବେଳେ ସମାଜସେବୀଙ୍କ ପକ୍ଷରୁ ତାଙ୍କୁ ଏକ ସ୍ମାରକ ପ୍ରଦାନ କରାଯାଇଛି। ଏଥିସହିତ ମହାମହିମ ରାଜ୍ୟପାଳ,ମୁଖ୍ୟମନ୍ତ୍ରୀ ଏବଂ ଜିଲ୍ଲାପାଳଙ୍କୁ ଏଥିନେଇ ମଧ୍ୟ ଅବଗତ କରାଯାଇଛି। ୧୯୩୪ ମସିହା ମଇ ୬ ଓ ୭ ତାରିଖ ଦିନ ମହାତ୍ମା ଗାନ୍ଧୀ ଅନୁଗୁଳ ଗସ୍ତରେ ଆସି ଅସ୍ପୃଶ୍ୟତା ଏବଂ ନିଶା ନିବାରଣ ଉପରେ ଆଲୋକପାତ କରିଥିଲେ। ଏହାକୁ ସ୍ମରଣୀୟ କରିବାପାଇଁ ଗାନ୍ଧିମାର୍ଗ, ଅମଲାପଡାର ଏକ ସ୍ଥାନରେ ଗାନ୍ଧିଭବନ ନିର୍ମାଣ ପାଇଁ ଯୋଜନା ହୋଇଥିଲା। ଅନୁଗୁଳ ଜିଲ୍ଲାପାଳଙ୍କୁ ଜାନୁଆରୀ,୨୦୨୧ ରେ ଅବଗତ କରାଯାଇଥିଲା। ଯୋଜନା ସମ୍ପୂର୍ଣ ପରେ ହଠାତ ପୌରପାଳିକା ପକ୍ଷରୁ ଉପରୋକ୍ତ ସ୍ଥାନରେ ଏକ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ କରାଯାଉଛି। ଉତ୍କଳ ସ୍ମାରକ ନିଧି ପକ୍ଷରୁ ଏହାର ପ୍ରତିବାଦ ରେ ଆସନ୍ତା ଗାନ୍ଧୀ ଜୟନ୍ତୀ ଠାରୁ ବିଶିଷ୍ଟ ସମାଜସେବୀ କ୍ରିଷ୍ଣା ମହାନ୍ତିଙ୍କ ନେତୃତ୍ୱରେ ସତ୍ୟାଗ୍ରହ କରାଯିବ ବୋଲି ସୂଚନା ମିଳିଛି। ମନ୍ତ୍ରୀ ଶ୍ରୀ ମଲ୍ଲିକ ଏ ଘଟଣାର ତର୍ଜମା କରିଦେଖିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସଂଗଠନ ପକ୍ଷରୁ ଆଦ୍ୟଶ୍ଳୋକ ମିଶ୍ର,ସୂର୍ଯ୍ୟ ନାରାୟଣ ନାଥ,ପର୍ଶୁରାମ ଦାଶ ପ୍ରମୁଖ ମନ୍ତ୍ରୀଙ୍କୁ ଭେଟିଥିଲେ।
ଗାନ୍ଧୀ ଭବନ ନିର୍ମାଣ ଦାବିରେ ସତ୍ୟାଗ୍ରହ ଆରମ୍ଭ ହେବ
- Post published:September 29, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik

Tags: Angul