ଅନୁଗୁଳ : ରାଜ୍ୟ ସରକାର ସମ୍ପୂର୍ଣ୍ଣ ଓବିସି ବିରୋଧୀ ବୋଲି ବିଜେପି ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ବାଳ ଅଭିଯୋଗ କରିଛନ୍ତି। ବୁଧବାର ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ସରକାର ଓବିସି ବିରୋଧୀ ଏବଂ ଅଢେ଼ଇ କୋଟି ଓବିସି ମାନଙ୍କ ହକ ପାଇଁ ବିଜେପି ଆନ୍ଦୋଳନ ଜାରି ରଖିବ ବୋଲି ପ୍ରକାଶ କରିଛନ୍ତି। ଦେଶରେ ସମସ୍ତ ରାଜ୍ୟରେ ଓବିସି ଙ୍କ ପାଇଁ ସବୁ କ୍ଷେତ୍ରରେ ସଂରକ୍ଷଣ ଲାଗୁ ହୋଇଥିଲା ବେଳେ ବିଜୁବାବୁଙ୍କ ଠାରୁ ନବୀନ ବାବୁଙ୍କ ପର୍ଯ୍ୟନ୍ତ ଆଜିଯାଏ ପଛୁଆବର୍ଗଙ୍କୁ ତାଙ୍କର ସାମ୍ବିଧାନିକ ଅଧିକାର ଦେବାରେ ଏମାନେ ଅସମର୍ଥ ବୋଲି ସେ କହିଛନ୍ତି। ରାଜ୍ୟ ସରକାରଙ୍କ ଏହା ଯୋଜନା ବଦ୍ଧ ଷଡ଼ଯନ୍ତ୍ର। ରାଜ୍ୟ ସରକାର ଓବିସିଙ୍କୁ ଅଧିକାର ଦେବୁ କହୁଥିଲା ବେଳେ ୫୦ ଭାଗ ଭିତରେ ସଂରକ୍ଷଣ ସୀମିତ ରହିଥିବା କହିଛନ୍ତି। ଯଦି ଏସସି, ଏସଟିଙ୍କୁ ୩୮.୭୫ ଭାଗ ତେବେ ଓବିସିଙ୍କୁ କିଭଳି ୨୭ ଭାଗ ସଂରକ୍ଷଣ ମିଳିବ ସରକାର ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ବିଶ୍ୱାଳ ପ୍ରଶ୍ନ କରିଛନ୍ତି। ରାଜ୍ୟ ସରକାରର ମନ୍ତ୍ରୀଙ୍କୁ ବଞ୍ଚାଇବା ପାଇଁ ପରୀ ମାମଲାରେ ଓ ବିଶ୍ୱପ୍ରସିଦ୍ଧ ଜଗନ୍ନାଥଙ୍କ ରଥଯାତ୍ରାକୁ ଅଟକାଇବା ପାଇଁ ବଡ଼ବଡ଼ ନାମିଦାମୀ ଓକିଲ ନିଯୁକ୍ତି କରିଛନ୍ତି। କିନ୍ତୁ ଓଡ଼ିଶାର ଅଢେ଼ଇ କୋଟି ଓବିସି ମାନଙ୍କ ପାଇଁ ଓକିଲ କିଏ ବୋଲି ସେ ପ୍ରଶ୍ନ କରିଛନ୍ତି। ବିଜେଡିରେ ଓବିସି ସଂରକ୍ଷଣ ସମଗ୍ର ଓଡିଶାର ପଛୁଆବର୍ଗଙ୍କ ସଂରକ୍ଷଣ ନୁହେଁ ବୋଲି ସେ କହିଛନ୍ତି। ଓବିସି ଫାଇନାନ୍ସ ଡେଭଲମେଣ୍ଟ କର୍ପୋରେସନ ଗଠିତ ହୋଇଥିଲା ବେଳେ ୨୦୦୮ରୁ ଅଦ୍ୟାବଧି ଜଣେ ବ୍ୟକ୍ତି ମଧ୍ୟ ଏଥିରୁ ଉପକୃତ ହୋଇନାହାନ୍ତି। ଆଗାମୀ ଦିନରେ ଓବିସି ବର୍ଗର ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ ତଥା ସମସ୍ତ କ୍ଷେତ୍ରରେ ଉପଯୁକ୍ତ ସଂରକ୍ଷଣ ପାଇଁ ରାଜ୍ୟବ୍ୟାପୀ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଶ୍ରୀ ବିଶ୍ୱାଳ ପ୍ରକାଶ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ରାଜ୍ୟ ସଭା ସାଂସଦ ରୁଦ୍ର ନାରାୟଣ ପାଣି, ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ, ବିଜେପି ନେତା ଅଶୋକ ମହାନ୍ତି, ପ୍ରତାପ ଚନ୍ଦ୍ର ପ୍ରଧାନ, ଇ ଜ୍ଞାନେନ୍ଦ୍ର କୁମାର ସ୍ୱାଇଁ, ସିଦ୍ଧାର୍ଥ ଶଙ୍କର ପତି, ସଂଗ୍ରାମ କେଶରୀ ନାୟକ, ସରୋଜ ଜେନା, ସୁଦୀପ ଗଡ଼ନାୟକ, ଉପସ୍ଥିତ ଥିଲେ। ଜିଲ୍ଲା ମିଡିଆସେଲ ଅଧ୍ୟକ୍ଷ ପର୍ଶୁରାମ ବାରିକ ସାମ୍ବାଦିକ ସମ୍ମିଳନୀକୁ ସଂଯୋଜନା କରିଥିଲେ।
1
f600b249-5c54-442c-a949-d6bc81000fab