ଅନୁଗୁଳ: ଗତ ଦୁଇ ଦିନ ଧରି ଅନୁଗୁଳ ପୌରପାଳିକା ପରିମଳ ବିଭାଗରେ ଲାଗି ରହିଥିବା ଅଚଳ ଅଵସ୍ଥା ଶେଷରେ ଦୂର ହୋଇଛି। ବିଳମ୍ବରେ ହେଉ ପଛେ ସଫେଇ କର୍ମଚାରୀମାନେ ଧାରଣାରୁ ଓହରିଛନ୍ତି।ମିଳିଥିବା ସୂଚନା ଅନୁଯାୟୀ କିଛି ଦିନ ତଳେ ସଫେଇ କର୍ମଚାରୀ ସଂଘ ସମ୍ପାଦକ ମିଥୁନ ବେହେରାଙ୍କ ବିରୁଦ୍ଧରେ କିଛି ଅଭିଯୋଗ ଆସିବାପରେ ତାଙ୍କୁ କାର୍ଯ୍ୟରୁ ବାହାର କରିଦେବାପାଇଁ ଠିକା ସଂସ୍ଥାକୁ ନିର୍ଦେଶ ଦିଆଯାଇଥିଲା।ଏଥିରେ ଉତ୍ତ୍ୟକ୍ତ ହୋଇ ସଫେଇ କର୍ମଚାରୀ ମାନେ ଧାରଣାରେ ବସିଯାଇଥିଲେ। ପୌରପାଳିକା ପକ୍ଷରୁ ଗତ ମଙ୍ଗଳବାର ଦିନ ଅନ୍ୟ ସ୍ଥାନରୁ ସଫେଇ କର୍ମଚାରୀ ଅଣାଯାଇ ବସଷ୍ଟାଣ୍ଡ ଅଂଚଳ ଝାଡୁ କରାଯାଉ ଥିବାବେଳେ ମିଥୁନ ଏବଂ ତାର ଦୁଇ ଜଣ ସାଥି ସେମାନଙ୍କୁ ଗାଳିଗୁଲଜ କରିବା ସହ କାମରେ ବାଧା ଦେଇଥିବା ଅଭିଯୋଗ ହୋଇଥିଲା।ଏହାପରେ ପୌରପାଳିକା ପକ୍ଷରୁ ଏଥିନେଇ ଅନୁଗୁଳ ଥାନାରେ ଅଭିଯୋଗ କରାଯିବା ପରେ ସଫେଇ କର୍ମଚାରୀମାନଙ୍କ ପକ୍ଷରୁ ପାଲଟା ଅଭିଯୋଗ କରାଯାଇଥିଲା।ବୁଧବାର ସକାଳେ ମିଥୁନଙ୍କ ପୁନଃ ନିଯୁକ୍ତି ଦାବିରେ ସଫେଇ କର୍ମଚାରୀମାନେ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ। ଶେଷରେ ନିର୍ବାହୀ ଅଧିକାରୀ ଏବଂ ପରିମଳ ଅଧିକାରୀଙ୍କ ବୁଝାସୁଝା ପରେ ଅଧିକାଂଶ ସଫେଇ କର୍ମଚାରୀ କାର୍ଯ୍ୟରେ ଯୋଗ ଦେଇଥିବା ଜଣାପଡିଛି।
ଜିଦରୁ ଓହରିଲେ ସଫେଇ କର୍ମଚାରୀ
- Post published:June 16, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik
