ଅନୁଗୁଳ: ମଙ୍ଗଳବାର ରାତିରେ ଅନୁଗୁଳ ଶୀତଳ ପ୍ଲାଜାରେ ଥିବା ଆଦିତ୍ୟ ମୋବାଇଲର ସଟର ତାଡି ଚୋରମାନେ ପାଞ୍ଚଟି ଦାମୀ ମୋବାଇଲ ସେଟ, ସ୍ପିକର ସହ ଅନ୍ୟାନ୍ୟ ଉପକରଣ ନେଇଯାଇଛନ୍ତି। ଏ ନେଇ ଦୋକାନର ମାଲିକ ଆଜି ସକାଳେ ଥାନାରେ ଅଭିଯୋଗ କରିଛନ୍ତି। ଚୋରି ସାମଗ୍ରୀର ମୂଲ୍ୟ ପ୍ରାୟ ୬୦ ହଜାର ଟଙ୍କା ହେବ ବୋଲି ଦୋକାନ ମାଲିକ ଆଦର୍ଶ ଅଗ୍ରୱାଲ ଜଣାଇଛନ୍ତି।
ସୂଚନା ଯୋଗ୍ୟ ଯେ ଅନୁଗୁଳ ସହରରେ ପୁଣି ବଢ଼ିଛି ଚୋରି। ପ୍ରତିଦିନ ଘଟୁଛି ଅପରାଧ। ଏଣୁ ଭୟରେ ଦିନ ବିତାଉଛନ୍ତି ସହରବାସୀ। କେତେବେଳେ କିଏ ଘରୁ ଜିନିଷ ନେଇଯାଉଛି ତ ପୁଣି କେବେ ରାସ୍ତାରେ ଲୋକଙ୍କଠାରୁ ଲୁଟ କରୁଛି। ଏଣୁ ସହରରେ ଆଇନ ଶୃଙ୍ଖଳା ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।