ନାହିଁ ନାହିଁରେ ଚାଲିଛି ନାଲ୍‌କୋ ଡିପିଏସ୍! ୩ ବର୍ଷ ହେଲା ନାହାନ୍ତି ସ୍ଥାୟୀ ପ୍ରଧାନ ଶିକ୍ଷକ, ଭୁଶୁଡ଼ିଛି ପରିମଳ ବ୍ୟବସ୍ଥା

You are currently viewing ନାହିଁ ନାହିଁରେ ଚାଲିଛି ନାଲ୍‌କୋ ଡିପିଏସ୍! ୩ ବର୍ଷ ହେଲା ନାହାନ୍ତି ସ୍ଥାୟୀ ପ୍ରଧାନ ଶିକ୍ଷକ, ଭୁଶୁଡ଼ିଛି ପରିମଳ ବ୍ୟବସ୍ଥା

ଅନୁଗୁଳ:ଅବ୍ୟବସ୍ଥା ଭିତରେ ଚାଲିଛି ନାଲକୋ ସ୍ଥିତ ପୁରାତନ ଇଂଲିଶ ମିଡିୟମ ସ୍କୁଲ। ପିଲାଙ୍କ ଭବିଷ୍ୟତ ସହ ଖେଳୁଛି ନାଲ୍‌କୋ ଡିପିଏସ୍ । ୩ ବର୍ଷ ହେଲା ନାହାନ୍ତି ସ୍ଥାୟୀ ପ୍ରଧାନ ଶିକ୍ଷକ। ଦୁଇମାସ ପରେ ବି ଖୋଲି ପାରିଲାନି ବାଲ ବାଟିକା ୧,୨।

ସୂଚନାଯୋଗ୍ୟ ଯେ ନବରତ୍ନ କମ୍ପାନି ନାଲ୍‌କୋର ଦିଲ୍ଲୀ ପବ୍ଲିକ୍ ସ୍କୁଲ୍ (ଡିପିଏସ୍)ରେ କମ୍ପାନି କର୍ମଚାରୀ ଓ ସ୍ଥାନୀୟ କ୍ଷତିଗ୍ରସ୍ତ ଜମିହରା ପ୍ରଜାଙ୍କ ପିଲାମାନେ ପଢୁଛନ୍ତି। ପ୍ରାୟ ୩ ବର୍ଷ ହେବ ସ୍କୁଲ୍‌ରେ ସ୍ଥାୟୀ ପ୍ରଧାନ ଶିକ୍ଷକ ନାହାନ୍ତି। ଆଉ ବିଭିନ୍ନ ବିଭାଗର ଶିକ୍ଷକ ପଦବି ମଧ୍ୟ ଖାଲି ପଡ଼ିଛି। ଏଥି ଯୋଗୁଁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହେଉଛି। ସେହିପରି ବାଲ ବାଟିକା ୧,୨ ଖୋଲାଯାଇ ପାରିନାହିଁ। ଉଭୟ ଜୁନିୟର୍ ଓ ସିନିୟର୍ ଡିପିଏସ୍ ରେ ଭୌତିକ ବିଜ୍ଞାନ, ହିନ୍ଦି, ଓଡ଼ିଆ, ଇଂରାଜୀ, ଗଣିତ, ଭୂଗୋଳ, ସଂସ୍କୃତ, ଜୀବବିଜ୍ଞାନ, ଅର୍ଥନୀତି, କମ୍ପ୍ୟୁଟର୍ ବିଜ୍ଞାନ, ଖେଳ, ଗୀତ, ନାଚ ଓ କାର୍ଯ୍ୟାଳୟ ସହାୟକ ପ୍ରମୁଖ ୩୦ଟି ପଦବି ଗତମାସ ନିଯୁକ୍ତି ଆହ୍ବାନ କରାଯାଇଥିଲା।

ସେଥିରେ ମଧ୍ୟରୁ ଭୌତିକ ବିଜ୍ଞାନ ଓ ଓଡ଼ିଆ ବିଭାଗର ଲିଖିତ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇଥିଲା। ଫଳରେ ଏହି ଦୁଇ ବିଭାଗରେ ଶିକ୍ଷକ ନିଯୁକ୍ତିକୁ ବାତିଲ କରିଦିଆଯାଇଥିଲା। ଏଥିରେ ସଂପୃକ୍ତ ଥିବା ଶିକ୍ଷକ ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇ ନ ଥିବାରୁ ଏହାକୁ ନେଇ ଅସନ୍ତୋଷ ଦେଖା ଦେଇଥିଲା। ବାକି ଅନ୍ୟ ବିଭାଗରେ ଲିଖିତ ଓ ମୌଖିକ ପରୀକ୍ଷା ଶେଷ ହୋଇଥିଲେ ବି ଶିକ୍ଷକ ନିଯୁକ୍ତି ହୋଇପାରି ନାହିଁ। ସିନିୟର୍ ଡିପିଏସ୍ ର ଜଣେ ଶିକ୍ଷକ ଶିକ୍ଷକତା କରୁଥିବା ବେଳେ ସେହି ଶିକ୍ଷକ ଜୁନିୟର ଡିପିଏସ୍ ସ୍କୁଲରେ ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟ ତୁଲାଉଛନ୍ତି। ଯାହାଫଳରେ ଶିକ୍ଷାଦାନ ଠିକ୍ ଭାବରେ ହୋଇ ପାରୁନାହିଁ। ସ୍କୁଲରେ ପରିମଳ ବ୍ୟବସ୍ଥା ବି ଅତ୍ୟନ୍ତ ଶୋଚନୀୟ। ଏଦିଗରେ କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି।

ବିଦ୍ୟାଳୟର ସମସ୍ୟା ସମ୍ପର୍କରେ ସ୍କୁଲ୍‌ର ଅଧ୍ୟକ୍ଷ ମାଧବ ବେହେରାଙ୍କୁ ପଚାରିବାରୁ ଶିକ୍ଷକ ନିଯୁକ୍ତି ସହ ଖୁବ୍ ଶୀଘ୍ର ବାଲ ବାଟିକା ୧,୨ ଖୋଲାଯିବ ହେବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

Share

Leave a Reply