ଅନୁଗୁଳ : ପ୍ରତିବର୍ଷ ବୈଶାଖ ମାସ କୃଷ୍ଣ ପକ୍ଷ ତୃତୀୟାକୁ ଅକ୍ଷୟ ତୃତୀୟା ଭାବେ ପାଳନ କରାଯାଏ। ଚଳିତବର୍ଷ ଆଜି ଅର୍ଥାତ୍ ୩ ମେ ୨୦୨୨ରେ ପଡ଼ୁଛି ଅକ୍ଷି ତୃତୀୟା। ଆଜି କୃଷକମାନେ ଅକ୍ଷି ମୁଠି ବୁଣି ଚାଷ କାର୍ଯ୍ୟ ଆରମ୍ଭ କରିଥାନ୍ତି। ଏହି ଦିନ ମା’ ଲକ୍ଷ୍ମୀଙ୍କ ପୂଜା କଲେ ଘରେ କେବେ ବି ଧନର ଅଭାବ ପରିଲକ୍ଷିତ ହୋଇନଥାଏ। ଅକ୍ଷୟ ତୃତୀୟାରେ ସୁନା ଚାନ୍ଦି କିଣିବା ଅତ୍ୟନ୍ତ ଶୁଭ ହୋଇଥାଏ। ବିଶ୍ୱାସ ରହିଛି ଯେ ଏହି ଦିନ ସ୍ୱର୍ଣ୍ଣ ଅଳଙ୍କାର କିଣିଲେ ପିଢ଼ି ପରେ ପିଢ଼ି ଏହା ବଢ଼ିଚାଲେ। କୁହାଯାଏ, ଏହି ଦିନ ସତ୍ୟଯୁଗ ଓ ତ୍ରେତୟା ଯୁଗର ପ୍ରାରମ୍ଭ ହୋଇଥିଲା। ଏହା ବ୍ୟତୀତ ଦ୍ୱାପର ଯୁଗର ଅନ୍ତ ବି ଆଜି ଦିନରେ ହୋଇଥିଲା ବୋଲି କିମ୍ବଦନ୍ତୀରେ ବର୍ଣ୍ଣିତ।
ଅକ୍ଷୟର ଅର୍ଥ ହେଉଛି ଯାହା କେବେ ଶେଷ ବା କ୍ଷୟ ହୋଇନଥାଏ। ଅକ୍ଷୟ ତୃତୀୟା ଏପରି ଏକ ଦିନ ଯେଉଁ ଦିନ କୌଣସି ଶୁଭ କାର୍ଯ୍ୟ କରିବା ପାଇଁ ବିଶେଷ ମୁହୂର୍ତ୍ତ ଦେଖିବା ଆବଶ୍ୟକତା ହୋଇନଥାଏ। ଏହି ଦିନ ସୁନା କିଣିବା ବହୁତ ଶୁଭ ହୋଇଥାଏ। ଏହି ଦିନ ଉପବାସ କରିଲେ ଏବଂ ଦାନ କରିବା ଦ୍ବାରା ଜୀବନରେ କୌଣସି ଜିନିଷରେ ଅଭାବ ଦେଖା ଯାଇନଥାଏ। ଅକ୍ଷୟ ତୃତୀୟା ଦିନ ଜୀବନରେ ସୁଖ-ସମୃଦ୍ଧି ପ୍ରାପ୍ତ ହୋଇଥାଏ।
ଜ୍ୟୋତିଷ ଗଣନା ଅନୁସାରେ, ଅକ୍ଷୟ ତୃତୀୟା ମଙ୍ଗଳ ରୋହିଣୀ ନକ୍ଷତ୍ରର ଶୋଭନ ଯୋଗରେ ପଡ଼ୁଛି। ଶୁଭ ଯୋଗରେ ଅକ୍ଷୟ ତୃତୀୟା ପାଳନର ଏହି ଅଦ୍ଭୁତ ସଂଯୋଗ ୩୦ ବର୍ଷ ପରେ ସୃଷ୍ଟି ହେଉଛି। ଏତିକି ନୁହେଁ, ୫୦ ବର୍ଷ ପରେ ଗ୍ରହମାନଙ୍କର ବିଶେଷ ସ୍ଥିତି ବି ରହୁଛି। ଅକ୍ଷୟ ତୃତୀୟାରେ ଦୁଇଟି ଗ୍ରହ ଉଚ୍ଚ ରାଶିରେ ବିଦ୍ୟମାନ ହେବେ ଏବଂ ଦୁଇ ପ୍ରମୁଖ ଗ୍ରହ ସ୍ୱରାଶିରେ ବିରାଜମାନ ରହିବେ। ଶୁଭ ସଂଯୋଗ ଏବଂ ଗ୍ରହମାନଙ୍କର ବିଶେଷ ସ୍ଥିତି ଯୋଗୁ ଅକ୍ଷୟ ତୃତୀୟାରେ ଦାନ କଲେ ପୁଣ୍ୟପ୍ରାପ୍ତି ହୋଇପାରିବ। ଅକ୍ଷୟ ତୃତୀୟାରେ ଜଳ ପୂର୍ଣ୍ଣ କଳସୀ, ମିଶ୍ରି, ଗୁଡ଼, ବରଫି, ଧଳା ବସ୍ତ୍ର, ଲୁଣ, ସରବତ, ଚାଉଳ, ଚାନ୍ଦି ଦାନ କରିବା ଶୁଭ ହୋଇଥାଏ।