ଆଜି ମେ’ ୧ ତାରିଖ। ଆଜିର ଦିନକୁ ସାରା ବିଶ୍ୱରେ ଅନ୍ତର୍ଜାତୀୟ ଶ୍ରମିକ ଦିବସ ଭାବେ ପାଳନ କରାଯାଉଛି। ପୂର୍ବରୁ ଶ୍ରମିକଙ୍କ ପାଇଁ କାମ କରିବାର କୌଣସି ସମୟ ନ ଥିଲା। ଏଣୁ ସେମାନଙ୍କୁ ଦିନକୁ ୧୦-୧୧ ଘଣ୍ଟା କାମ କରିବାକୁ କୁହାଯାଉଥିଲା। ଏହାକୁ ବିରୋଧ କରି ୧୮୭୭ ମସିହାରେ ଶ୍ରମିକମାନେ ନିଜ କାମ କରିବାର ସମୟସୀମା ନିର୍ଦ୍ଧାରଣ କରିବା ପାଇଁ ଆନ୍ଦୋଳନ କରିଥିଲେ। ଏଥିସହ କାମ କରିବା ସମୟ ୮ ଘଣ୍ଟା ରଖିବାକୁ ଦାବି କରିଥିଲେ। ୧୮୮୬ ମସିହା ମେ ୧ ତାରିଖରେ ଆମେରିକାର ପାଖାପାଖି ୧୧ ହଜାର କାରଖାନାର ୩ ଲକ୍ଷ ୮୦ ହଜାର ଶ୍ରମିକ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ।
ଏହି ଆନ୍ଦୋଳନ ପରେ ୧୮୮୯ ମସିହାରେ ପ୍ୟାରିସରେ ଆୟୋଜିତ ହୋଇଥିବା ଅନ୍ତରାଷ୍ଟ୍ରୀୟ ମହାସଭାର ଦ୍ୱିତୀୟ ବୈଠକରେ ଫ୍ରେଞ୍ଚ କ୍ରାନ୍ତିକୁ ନଜରରେ ରଖି ଏକ ପ୍ରସ୍ତାବ ପାରିତ ହୋଇଥିଲା। ଏହି ପ୍ରସ୍ତାବରେ ଅନ୍ତରାଷ୍ଟ୍ରୀୟ ଶ୍ରମିକ ଦିବସ ପାଳନ କରାଯିବ ପ୍ରସ୍ତାବକୁ ସ୍ୱୀକାର କରାଯାଇଥିଲା। ଏହି ପ୍ରସ୍ତାବ ପାରିତ ହେବାପରେ ଆମେରିକାରେ ଶ୍ରମିକମାନେ ଦିନକୁ ୮ ଘଣ୍ଟା କାମ କରିବା ନିୟମ ପ୍ରଚଳନ ହୋଇଥିଲା। ସେବେ ଠାରୁ ସାରା ଦୁନିଆରେ ମେ ୧ ତାରିଖକୁ ଶ୍ରମିକ ଦିବସ ରୂପେ ପାଳନ କରାଯାଉଛି।
ଭାରତରେ ପ୍ରଥମେ ୧୯୨୩ ମସିହା ମେ ୧ ତାରିଖରେ ଚେନ୍ନାଇରେ ଶ୍ରମିକ ଦିବସ ପାଳନ କରାଯାଇଥିଲା। ଭାରତର ଲେବର କିଷାନ ପାର୍ଟି ଅଫ ହିନ୍ଦୁସ୍ତାନ ୧୯୨୩ ମସିହା ମେ ୧ ତାରିଖକୁ ମାଡ୍ରାସରେ ଶ୍ରମିକ ଦିବସ ପାଳନ କରିବା ଆରମ୍ଭ ହୋଇଥିଲା। ସେହିଦିନ ଠାରୁ ମେ ୧ ତାରିଖକୁ ଅନ୍ତରାଷ୍ଟ୍ରୀୟ ଶ୍ରମିକ ଦିବସ ଭାବେ ପାଳନ କରାଯାଉଛି।